ଆଜିଠାରୁ ରାତିରେ ବଢ଼ିବ ଶୀତ

ରାଜ୍ୟରେ ଆଜିଠାରୁ ଶୀତ ବଢ଼ିବ । ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଦୁର୍ବଳ ଯୋଗୁ ସାମୁଦ୍ରିକ ବାୟୁର ପ୍ରଭାବ କମିବ । ଶୁଷ୍କତା ବୃଦ୍ଧି ସହ ଜଳୀୟବାଷ୍ପ ମାତ୍ରା କମିବ । ଫଳରେ ରାତିରେ ଅଧିକ ଶୀତ ଅନୁଭୂତ ହେବ । କିଛି ସ୍ଥାନରେ ୩ରୁ ୫ ଡିଗ୍ରୀ ପାରଦ ଖସିପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ ଦେଇଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗୁରୁବାରଠାରୁ ଉପକୂଳ, ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା କମିବ । ଉପକୂଳରେ ୩ଡିଗ୍ରୀ କମିପାରେ । ଦକ୍ଷିଣ ଆଭ୍ୟନ୍ତରରେ ୧.୫ଡିଗ୍ରୀ କମିପାରେ । ଉପକୂଳରେ ୨୭ ତାରିଖରୁ ରାତି ତାପମାତ୍ରା ବଢ଼ିବ । ୨୯ସୁଦ୍ଧା ୨ଡିଗ୍ରୀ ବଢିପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ୨୭ ଓ ୨୮ ତାରିଖ ଦୁଇଦିନ ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ସେ ଆକଳନ କରିଛନ୍ତି ।

ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ଗୁରୁବାର ରାତି ତାପମାତ୍ରା ୧.୫ ଡିଗ୍ରୀ କମିବ । ୨୬ ଯାଏ ଏହା ଅପରିବର୍ତ୍ତିତ ରହିବ । ୨୭ ଓ ୨୮ ଦୁଇ ଦିନରେ ରାତି ତାପମାତ୍ରା ଦୁଇ ଦିନ ବଢିପାରେ । ରାଜ୍ୟରେ ପାଗ ଶୁଖିରା ଓ ଖରାଟିଆ ରହିବ । ସପ୍ତାହ ଯାଏ କୁହୁଡି ସମ୍ଭାବନା କମ୍‌ । ୨୬ରୁ ଉଭୟ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ବଢିବ । ଉପକୂଳରେ ଆର୍ଦ୍ରତା ବଢିବା ଯୋଗୁ ଫସଲରେ ରୋଗ, ପୋକ ବଢିବାର ସମ୍ଭାବନା ଅଛି । ସୋରିଷ, ଆଳୁ ଓ ପିଆଜ ଶୀଘ୍ର ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ସୂର୍ଯ୍ୟମୁଖୀ, ମୁଗ ଓ ବିରି ଲଗାଇବାରେ ଡେରି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Share this…
Share on Facebook

Facebook