ଆରଟିଓ ଅଫିସ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ମାଟି ପକାଇ ଅବରୋଧ କଲେ ଜମି ମାଲିକ

ଭଞ୍ଜନଗର, : ଭଞ୍ଜନଗରର ନବନିର୍ମିତ ପରିବହନ କାର୍ଯ୍ୟାଳୟକୁ ହୋଇଥିବା ନୂତନ ରାସ୍ତା ବେସରକାରୀ ଜମିରେ ନିର୍ମାଣ କରାଯାଇଥିବା ଅଭିଯୋଗ ଆଣି ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ କରିଛନ୍ତି ଲାଲସିଂ ଅଞ୍ଚଳର କିଛି ଜମି ମାଲିକ । ପରିବହନ କାର୍ଯ୍ୟାଳୟ ସମେତ ନୂତନ ଭାବେ ନିର୍ମାଣ ଚାଲିଥିବା ଆଟିଆଇ କଲେଜକୁ ଲମ୍ବିଥିବା ରାସ୍ତା ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ମାଟି ପକାଇ ରାସ୍ତା ବନ୍ଦ କରାଯାଇଛି । ସରକାର ଏହି ରାସ୍ତା ନିର୍ମାଣ କରିବା ସମୟରେ ସେମାନଙ୍କୁ କୌଣସି ସୂଚନା ଦେଇନଥିବା ସହ ବେଆଇନ ଭାବେ ସେମାନଙ୍କ ପୈାତୃକ ଜମିରେ ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ଆଣି ରାସ୍ତା ଅବରୋଧ କରିଥିଲେ ଏହି ରାସ୍ତା ଦେଇ ଏକ ଘରୋଇ ଶିକ୍ଷାନୁଷ୍ଠାନ ସହ ନିର୍ମାଣ କାର୍ଯ୍ୟ ପାଇଁ ସର୍ବସାଧାରଣ ଯାତାୟତ କରୁଥିବା ବେଳେ ରାସ୍ତା ଅବରୋଧ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଲାଲସିଂ ଗ୍ରାମର ପ୍ରତାପ ସିଂ ରାଉତଙ୍କ ସମେତ ଆଉ କିଛି ଲୋକଙ୍କ ବ୍ୟକ୍ତିଗତ ପ୍ଳଟ୍ ଉପରେ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ଆଣିଛନ୍ତି। ଏସଂର୍ପକରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ସେମାନେ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି। ଏକ ବର୍ଷ ପୂର୍ବରୁ ମଧ୍ୟ ଏହାକୁ ବିରୋଧ କରି ଅଭିଯୋଗକାରୀ ମାନେ ଉକ୍ତ ରାସ୍ତାରେ ମାଟି ପକାଇ ଅବରୋଧ କରିଥିଲେ । ତହସିଲଦାର ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି କାର୍ଯ୍ୟକାରୀ ହୋଇନଥିବାରୁ ପୁଣି ଆଜି ରାସ୍ତାରେ ମାଟି ପକାଇ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଆଗାମୀ ୨୦ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ନେଇ ତହସିଲଦାର କହିଥିଲେ । ୪ ଘଣ୍ଟା ରାସ୍ତା ଅବରୋଧ ହେବ ଦ୍ୱାରା ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମୁଖିନ୍ନ ହୋଇଛନ୍ତି |ପରିବହନ କାର୍ଯ୍ୟାଳୟକୁ ଦୂରଦୂରାନ୍ତରରୁ ଆସୁଥିବା ଲୋକମାନେ ବହୁ ସମୟ ଅପେକ୍ଷା କରିଥିଲେ । ଅବରୋଧ ହଟିବା ପରେ କାର୍ଯ୍ୟାଳୟକୁ ପୁଣି ଯାତାୟାତର ସୁବିଧା ହୋଇଥିଲା । ପ୍ରଶାସନ ଦେଇଥିବା ସମୟ ମଧ୍ୟରେ ଯଦି ଏହି ସମସ୍ୟାର ସମାଧାନ କରା ନଯାଏ କିମ୍ବା ସେମାନଙ୍କ ଜମି ନ ଫେରାଯାଏ ତେବେ ଆଗାମୀ ଦିନରେ ପୁଣି ଥରେ ରାସ୍ତା ଅବରୋଧ କରିବା ପାଇଁ ଜମି ମାଲିକ ମାନେ ଚେତାବନୀ ଦେଇଛନ୍ତି ।

Share this…
Share on Facebook

Facebook