କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ରୁ ଅଧିକ ଆହତ

କେନ୍ଦ୍ରାପଡ଼ା ; ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ରୁ ଅଧିକ ଆହତ । ସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। କାହାର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି ତ କାହାର ସମଗ୍ର ଶରୀର ରକ୍ତାକ୍ତ ହୋଇଯାଇଛି। ଏଥିରେ ବେଶୀ ମହିଳା ଓ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ ଗୋଟିଏ ବାଣର ବିସ୍ଫୋରଣ ପରେ ନିଆଁ ଯାଇ ବାଣୁଆ ଷ୍ଟକ୍ ରଖିଥିବା ବାଣ ଉପରେ ପଡ଼ିଥିଲା। ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରିଥିଲା। ଏହା ଚାରିଆଡ଼କୁ ଛିଟିକିବାରେ ଲାଗିଥିଲା। ଫଳରେ ଭସାଣରେ ଡିଜେ ବଜାଇ ନାଚୁଥିବା, ବାଣ ଦେଖୁଥିବା ଓ ଆଖପାଖରେ ଦୋକାନ କରିଥିବା ଲୋକଙ୍କ ଉପରେ ବାଣ ନିଆଁ ପଡ଼ିଥିଲା। ଏଥିରେ ୩୦ରୁ ଧିକ ଲୋକ ଆହତ ହୋଇଥିଲେ। ଆହତଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଉଛି।ସେପଟେ କେନ୍ଦ୍ରାପଡ଼ା ଡାକ୍ତରଖାନାର ଜଳାପୋଡ଼ା ଚିକିତ୍ସା ବିଭାଗରେ ଆବଶ୍ୟକ ସଂଖ୍ୟକ ଶଯ୍ୟା ନ ଥିବାରୁ ଏତେ ସଂଖ୍ୟକ ଆହତଙ୍କୁ କିପରି ଚିକିତ୍ସା କରାଯିବ ସେ ନେଇ ସଙ୍କଟ ସୃଷ୍ଟି ହୋଇଛି।

Share this…
Share on Facebook

Facebook