ଦିନ ଦ୍ବିପ୍ରହରରେ ଖୁଲମଖୁଲା ବ୍ରାଉନ ସୁଗାର ବିକ୍ରୀ

ଦିନ ଦ୍ବିପ୍ରହରରେ ଖୁଲମଖୁଲା ବ୍ରାଉନ ସୁଗାର ବିକ୍ରୀ ଅଭିଯୋଗରେ ବନ୍ଧା ହେଲେ ୮ଜଣ ବ୍ରାଉନ ସୁଗାର ବେପାରୀ ଓ ଚାଲାଣକାରୀ। ପୁରୀ ମିଶ୍ର ନୋଳିଆ ସାହିରେ ପ୍ରତିଦିନ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ନେଇ ଗତକାଲି ପ୍ରୟାସ ଟିଭି ରେ ଖବର ପ୍ରସାରଣ ହେବା ପରେ ଆଜି ଆକ୍ସନ ମୋଡକୁ ଆସିଛି ବାସେଳୀ ସାହି ଥାନା ପୋଲିସ। ବ୍ରାଉନ ସୁଗାର ବିକ୍ରୀ ଓ ଚାଲାଣ ଅଭିଯୋଗରେ ମିଶ୍ର ନୋଳିଆ ସାହିର ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେଥିରେ ୩ ଜଣ ପୁରୁଷ ଓ ୫ ଜଣ ମହିଳା ଅଭିଯୁକ୍ତ ଅଛନ୍ତି। ଅଭିଯୁକ୍ତଙ୍କ ଠାରୁ ୨୬୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କହିଛି ପୋଲିସ। ସେହିପରି ୫ଟି ମୋବାଇଲ ଫୋନ, ୩୫ ହଜାର ନଗଦ ଟଙ୍କା ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାସେଳୀ ସାହି ଥାନା ଅଧିନ ମିଶ୍ର ନୋଳିଆ ସାହିର ସନ୍ତୁ ବେହେରା, କମଳ ବେହେରା, ମିଟୁ ବେହେରା, ବବିତା ବେହେରା, ବିନି ନାୟକ, ନିଳମଣୀ ନାୟକ, କନକ ବେହେରା ଓ ଗୀତା ବେହେରା। ସମସ୍ତ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା, ସିଟି ଡିଏସପି ଜନାର୍ଦ୍ଦନ ପାଢୀ ଓ ବାସେଳୀ ସାହି ଥାନା ଅଧିକାରୀ କୁଳମଣି ସେଠୀ।

ବାଇଟ୧- ମିହିର ପଣ୍ଡା, ଅତିରିକ୍ତ ଏସପି, ପୁରୀ

ମିଶ୍ର ନୋଳିଆ ସାହିରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ବିକ୍ରୀ ହେଉଥିବା ନେଇ ପ୍ରୟାସ ଟିଭି ହାତରେ ଲାଗିଥିଲା ଏକ୍ସକ୍ଲ୍ୟୁସିଭ ଭିଡିଓ। ଗତକାଲି ଏହି ଘଟଣାକୁ ନେଇ ଆମେ ଦିନତମାମ ଖବର ପ୍ରସାରଣ କରିଥିଲୁ। ଆଉ ଆଜି ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ କିଛି ଅସାଧୁ ବ୍ୟକ୍ତି ପୋଲିସକୁ ଖାତିର ନକରି ଆଜି ମଧ୍ୟ ଖୁଲମଖୁଲା ଏହି ବ୍ୟବସାୟ କରୁଥିବା ଭିଡିଓ ପ୍ରୟାସ ଟିଭି ହାତରେ ଲାଗିଛି। ଟିକେ ଭଲ ଭାବେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ବ୍ରାଉନ ସୁଗାର କିଣିବା ପାଇଁ କିଛି ଯୁବକ ଆସିଥିବା ବେଳେ ରାସ୍ତା ଉପରେ ଖୁଲମଖୁଲା ଜଣେ ପୁରୁଷ ଓ ମହିଳା ବ୍ୟବସାୟୀ ଗ୍ରାହକଙ୍କ ଠାରୁ ପୁଳା ପୁଳା ଟଙ୍କା ରଖି କିଭଳି ଧଳାଜହର ପୁଡିଆ ବଢାଇ ଦେଉଛନ୍ତି। ପୁଡିଆ ହାତକୁ ଆସିଯିବା ପରେ ନିଶାଡି ମାନେ ବାଇକ ଯୋଗେ ସେଠାରୁ ସିଧାସଳଖ ଚାଲି ଯାଉଛନ୍ତି। ରାସ୍ତା ଉପରେ ଖୁଲମଖୁଲା ଏଭଳି ବ୍ରାଉନ ସୁଗାର ବିକ୍ରୀ ହେଉଥିବା ଦେଖି ଏମିତି ଲାଗୁଛି ସତେ ଯେମିତି ପୋଲିସକୁ ଏମାନେ ଟିକେ ବି ଡରୁ ନାହାନ୍ତି। ପୋଲିସ ଏବଂ ଧଳାଜହର ବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଥିବା ବେଳେ ବ୍ରାଉନ ସୁଗାର ବିକ୍ରୀ କରୁଥିବା ପ୍ରତିଟି ଅସାଧୁ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି।

ବାଇଟ- ମିହିର ପଣ୍ଡା, ଅତିରିକ୍ତ ଏସପି, ପୁରୀ

– ପୁରୀ ଭଳି ପର୍ଯ୍ୟଟନ ତଥା ଧାର୍ମିକ କ୍ଷେତ୍ରର ପ୍ରତିଟି ଗଳିକନ୍ଦିରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ଅଭିଯୋଗ ହେଉଛି। ସହରରେ ନିଶା ବେପାରୀ ସକ୍ରୀୟ ହେଉଥିବା ବେଳେ ପୋଲିସର ନିଷ୍କ୍ରିୟତା ପଦାରେ ପଡିଛି। ତେବେ କେବଳ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ବାଃ ବାଃ ନେବା ଅପେକ୍ଷା ମିଶ୍ର ନୋଳିଆ ସାହିରେ ବେଧଡକ ଭାବେ ବ୍ରାଉନ ସୁଗାର ବିକ୍ରୀ କରୁଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ତୁରନ୍ତ ଗିରଫ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ।

Share this…
Share on Facebook

Facebook