ଧାମରା ଚନ୍ଦିନୀପାଳ ମାଛଧରା କେନ୍ଦ୍ରରେ ପଡୁଛି ଟନ୍ ଟନ୍ ଇଲିସି

ଭଦ୍ରକ ଜିଲ୍ଲା ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି। ହେଲେ ଭାଉ ହାତ ମାରି ହେଉନି, କିଲୋ ପିଛା ୧୫ଶହ ରୁ ୨ହଜାର। ଗତବର୍ଷ ମାନଙ୍କରେ ଇଲିସି ଏତେଟା ଦେଖା ଦେଇନଥିବା ବେଳେ ଏହିଥର କିଛି ଦିନ ହେବ ଲଗାଣ ବର୍ଷା ଆଉ ପୂର୍ବାଳି ପବନ ଯୋଗୁଁ ଧାମରା ଅଂଚଳର ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି ମାଛ ପଡୁଛି । ବଡ଼ ଇଲିସିର ଚାହିଦା ଥିବାରୁ ଏହା ଦର ମଧ୍ୟ ଆକାଶ ଛୁଆଁ। କିଲୋ ରୁ ଦେଢ଼ କିଲୋ ଇଲିସି ଗୁଡିକ ୧୫ଶହ ରୁ ୨ହଜାର ଟଙ୍କା ରେ ବିକ୍ରି ହେଉଥିବା ବେଳେ କିଲୋ ରୁ ତଳକୁ ଓଜନର ଇଲିସି ୧୨ଶହ ଟଙ୍କାରେ ବିକ୍ରି ହେଉଛି। ଏହି ସମୟରେ ଇଲିସି ଆମଦାନୀ ହେଉଥିବାରୁ ଇଲିସି ଖାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। କାଁ ଭାଁ ଛାଡିଦେଲେ ଆକାଶ ଛୁଆଁ ଦର ଯୋଗୁଁ ଗ୍ରାହକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ବ୍ୟବସାୟୀ ମାନେ ଇଲିସି କୁ କଲିକତା, ଖଡ଼ଗପୁର, ମଛଦା ଆଦି ଅଂଚଳକୁ ପଠାଇଥାନ୍ତି। ପୂର୍ବାଳି ପବନ ଯୋଗୁଁ ସମୁଦ୍ରରେ ଇଲିସି ମିଠା ପାଣିକୁ ଉଠିଥାନ୍ତି ଆଉ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ନ୍ତି ବୋଲି କୁହନ୍ତି ମତ୍ସ୍ୟଜୀବୀ। ଆଗାମୀ ଦିନରେ ଯଦି ଏମିତି ପାଗ ରୁହେ ତେବେ ଆହୁରି ଅଧିକ ଇଲିସି ହେବ ଆଉ ରେଟ ଟିକେ ମଧ୍ୟ ଶସ୍ତା ହେବ ବୋଲି ଆଶା କରିଛନ୍ତି ମତ୍ସ୍ୟଜୀବୀ। ଧାମରା ଚନ୍ଦନୀ ପାଳ ଅଂଚଳରେ ପାଖାପାଖି ୫ହଜାର ରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଓ ୧୨ଶହ ବୋଟ୍ ପ୍ରତିଦିନ ଧାମରା ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି। ତେବେ ଇଲିସି ଜାଲରେ ପଡ଼ୁଥିବାରୁ ମତ୍ସ୍ୟଜୀବୀ ଓ ଟଲର ମାଲିକ ବେସ୍ ଖୁସି ଅଛନ୍ତି। ରାଜ୍ୟ ବାହାରକୁ ରପ୍ତାନି କରି ଦୁଇ ପଇସା ରୋଜଗାର କରୁଛନ୍ତି।

Share this…
Share on Facebook

Facebook