ଓଲିଉଡର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚାଲିଗଲେ ଓଲିଉଡର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା। ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ  ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ମୃତଦେହ।  ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ତେବେ ସେ ହଠାତ୍‌ କାହିଁକି ଏପରି ଚରମ ପଦକ୍ଷେପ ଉଠାଇଲେ, ତାହା ଜଣାପଡ଼ିନି। ପୁଲିସ୍‌ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍‌ପିଟାଲ୍‌କୁ ପଠାଇଛି।

ରାଇମୋହନଙ୍କର ପତ୍ନୀ ଓ ୨ ଝିଅ ଅଛନ୍ତି। ଜଣେ ଝିଅ ବିବାହ କରିସାରିଛନ୍ତି। ରାଇମୋହନ ପ୍ରାଚୀ ବିହାର ଘରେ ପତ୍ନୀ ଓ ସାନ ଝିଅ ସହିତ ରହୁଥିଲେ। ରାଇମୋହନ ପରିଡ଼ା ୯୦ଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି। ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ କାମ କରିଛନ୍ତି। ବିଶେଷ କରି ନେଗେଟିଭ୍ କ୍ୟାରେକ୍ଟରରେ ସେ ଛାଡ଼ି ଯାଇଛନ୍ତି ସ୍ୱତନ୍ତ୍ର ଛାପ। ତାଙ୍କର ଏମିତି ଅନେକ ଡାଏଲଗ ରହିଛି, ଯାହାକୁ ଦର୍ଶକ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କଠାରୁ ବାରମ୍ବାର ଶୁଣିବାକୁ ଚାହୁଁଥିଲେ।୧୯୮୫ରେ ରାଇମୋହନ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୭ରେ ସେ ‘ସାଗର’ ଫିଲ୍ମରେ ପ୍ରଥମେ ନେଗେଟିଭ୍ କ୍ୟାରେକ୍ଟରେ ଅଭିନୟ କରିଥିଲେ। ‘ସତମିଛ’, ‘ରାମଲକ୍ଷ୍ମଣ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ନାଗପଞ୍ଚମୀ’, ’ଉଦଣ୍ଡୀସୀତା’, ‘ଦେ ମା’ ଶକ୍ତି ଦେ’, ‘ଜୟ ଶ୍ରୀରାମ’, ‘ତୁ ଥିଲେ ମୋ ଡର କାହାକୁ’, ‘ରଣଭୂମି’, ’ମେଣ୍ଟାଲ ଟୋକା’, ‘ସିଂହବାହିନୀ’, ‘କୁଳନନ୍ଦନ’, ‘କଣ୍ଢେଇ ଆଖିରେ ଲୁହ’, ‘ତୁ ଥିଲେ ମୋ ଡର କାହାକୁ’, ‘କୋଟିଏ ମଣିଷ ଗୋଟିଏ ଜଗା’ ଓ ‘ମିଷ୍ଟର ମଜ୍‌ନୁ’ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅଭିନୟ ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

Share this…
Share on Facebook

Facebook