ଛତିଶଗଡ଼; ୫ ଦିନ ପରେ ବୋରୱେଲ୍ ଭିତରୁ ଉଦ୍ଧାର ହେଲେ ୧୦ ବର୍ଷର ବାଳକ ରାହୁଲ ସାହୁ। ଏନ୍ଡିଆର୍ଏଫ୍ ଟିମ୍ ସୁଡଙ୍ଗ କରି ବୋରୱେଲ୍ରୁ ରାହୁଲଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ପ୍ରାଥମିକ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ତାଙ୍କୁ ଗ୍ରୀନ୍ କରିଡର ମାଧ୍ୟମରେ ଲାଇଫ୍ ସପୋର୍ଟ ଆମ୍ୱୁଲାନ୍ସରେ ବିଳାସପୁର ହସ୍ପିଟାଲ୍କୁ ନିଆଯାଉଛି।
ଛତିଶଗଡ଼ ରାଜ୍ୟ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ରାହୁଲ ପ୍ରାୟ ୮୦ ଫୁଟ୍ ବୋରୱେଲ୍ ଗାତ ଖସି ପଡ଼ିଥିଲେ। ଏହି ଖବର ପ୍ରକାଶ ପାଇବା ପାଇଁ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଟିମ୍ ଓ ଜିଲ୍ଲା ପ୍ରଶାସନ ଆସିଥିଲା। ରାହୁଲଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ। କାରଣ ବୋରୱେଲ୍ ପାର୍ଶ୍ୱରେ ଖୋଳା ଯାଇଥିବା ସୁଡଙ୍ଗରେ ପଡ଼ିଥିଲା ପଥର। ଉଦ୍ଧାରକାରୀ ଦଳ ପଥରକୁ କାଟି ଭିତରେ ପଶିଥିଲେ। ୫ ଦିନର ଅପରେଶନରେ ବୋରୱେଲ୍ ପାର୍ଶ୍ୱରେ ସୁଡଙ୍ଗ କରି ରାହୁଲ୍ଙ୍କୁ ଉଦ୍ଧାର କରିଥିଲା।
ଜଣେ ଦିବ୍ୟାଙ୍ଗ ନାବାଳକକୁ ଉଦ୍ଧାର କରିବା ପାଇଁ, ନିଶ୍ଚିତ ମୃତ୍ୟୁ ମୁଖରୁ ଫେରାଇ ଆଣିବା ପାଇଁ, ଯାହା ବି କରିବାକୁ ପଡିବ, ତାହା କରିବାକୁ ପ୍ରସ୍ତୁତ ଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ । ଶେଷରେ ସମସ୍ତ ପ୍ରତିବନ୍ଧକକୁ ହଟାଇ ଉଦ୍ଧାରକାରୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଆଶାମୁତାବକ ଦିବ୍ୟାଙ୍ଗ ନାବାଳକକୁ ୮୦ ଫୁଟ୍ ବୋରୱେଲ ଗାତରୁ ଉଦ୍ଧାର କରିଛନ୍ତି । ଭୁପେଶ ବଘେଲଙ୍କ ସମେତ ଦେଶବାସୀ ରାହୁଲଙ୍କୁ ଜୀବନ୍ତ ଦେଖିବାକୁ ଚାହୁଁଥିଲେ, ଆଉ ତାହା କରି ଦେଖାଇଛନ୍ତି ଉଦ୍ଧାରକାରୀ ଦଳ ।