କିଏ ହେବ ରାଜ୍ୟ ବିଧାନସଭାର ବାଚସ୍ପତି ? ନବୀନଙ୍କ ଗୁଡବୁକରେ ରହିଛି କାହାର ନାମ ?

ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳ ବଦଳ ହେବାକୁ ଯାଉଛି । ଏହି କ୍ରମରେ କିଛି ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବିଦା ହେବେ । କିଛି ମନ୍ତ୍ରୀଙ୍କ ବିଭାଗ ବଦଳ କରାଯିବା ନେଇ ଆଲୋଚନା ହେବା ପରେ ରାଜ୍ୟ ରାଜନୀତରେ ସରଗରମ ହୋଇଛି । ଏହି କ୍ରମରେ ବାଚସ୍ପତି ଥିବା ସୂର୍ଯ୍ୟନାରାୟଣ ପାତ୍ର ପୁଣି ମନ୍ତ୍ରୀମଣ୍ଡଳକୁ ଫେରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ସେ କେଉଁ ବିଭାଗର ମନ୍ତ୍ରୀ ହେବେ ତାହା ବି ନିଷ୍ପତ୍ତି ହୋଇ ସାରିଥିବା କଥା ନିକଟତମ ମହଲରୁ ପ୍ରକାଶ ପାଇଛି ।
ସେପେଟେ ସୂର୍ଯ୍ୟପାତ୍ରଙ୍କ ପରେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାକୁ ନେଇ ବି ଚର୍ଚ୍ଚା ଜୋର ଧରିଛି । ପରବର୍ତ୍ତୀ ବାଚସ୍ପତି ଦୌଡରେ ସବୁଠାରୁ ଆଗରେ ଅଛନ୍ତି ନିରଞ୍ଜନ ପୂଜାରୀ, ଅମର ଶତପଥୀ, ପ୍ରଦୀପ ଅମାତ ଓ ଶଶି ଭୁୂଷଣ ବେହେରା ।

ଯଦି ଆମେ ନିରଞ୍ଜନ ପୁଜାରୀଙ୍କ କଥା କଥା କହିବା ତେବେ ସେ ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାର ବାଚସ୍ପତି ଭାବେ ଦାୟୀତ୍ୱ ତୁଲାଇଛନ୍ତି । ୨୦୧୭ ରେ ତାଙ୍କୁ ବାଚସ୍ପତି ପଦରୁ ହଟାଇ ମନ୍ତ୍ରୀ ମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗର ମନ୍ତ୍ରୀ କରାଯାଇଥିଲା । ହେଲେ ଅର୍ଥମନ୍ତ୍ରୀ ଭାବେ ସେ ଭଲ ପ୍ରଦର୍ଶନ କରିପାରି ନଥିବାରୁ ତାଙ୍କୁ ପୁୂଣି ବାଚସ୍ପତି ପଦରେ ବସାଯାଇ ପାରେ ବୋଲି ଅନୁମାନ କରାଯାଉଛି ।

ବାଚସ୍ପତି ଦୌଡରେ ଦ୍ୱିତୀୟରେ ରହିଛନ୍ତି ବଡଚଣା ବିଧାୟକ ଅମର ଶତପଥି । ଅମର ଶତପଥୀ ୧୯୯୦ ମସିହାରେ ପ୍ରଥମଥର ପାଇଁ ଜନତାଦଳ ଟିକେଟରୁ ବିଧାୟକ ହୋଇଥିଲେ । ଏହାପରେ ୨୦୦୪-୨୦୦୯ ପର୍ଯ୍ୟନ୍ତ ଛାଡିଦେଲେ ସେ କେବେ ପରାଜୟ ସ୍ୱୀକାର କରି ନାହାଁନ୍ତି । ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ୨୦୦୦-୨୦୦୦୨ ପର୍ଯ୍ୟନ୍ତ କୃଷିମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ ୨୦୧୭-୨୦୧୯ ପର୍ଯ୍ୟନ୍ତ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ । ଏସବୁ ଅଭିଜ୍ଞତାକୁ ଭିତ୍ତି କରି ନବୀନ ପଟ୍ଟନାୟକ ତାଙ୍କୁ ବାଚସ୍ପତି ପଦ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବାଚସ୍ପତି ଦୌଡରେ ବି ରହିଛନ୍ତି ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ । ରାଜ୍ୟ ବିଧାନସଭାରେ ଦୁଇ ଦୁଇଥର ବାଚସ୍ପତି ହୋଇଥିବା ପ୍ରଦୀପ ଅମାତ ଏବେ ନବୀନଙ୍କ ଗୁଡବୁକରେ । ୨୦୦୯ ରୁ ୨୦୧୪ ଓ ଦ୍ୱିତୀୟ ପାଳିରେ ୨୦୧୭-୨୦୧୯ ପର୍ଯ୍ୟନ୍ତ ସେ ରାଜ୍ୟ ବିଧାନସଭାରେ ବାଚସ୍ପତି ପଦ ସମ୍ଭାଳି ଥିଲେ । ତେଣୁ ତାଙ୍କୁ ପୁଣିଥରେ ବଚସ୍ପତି ଆସନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେଡି ରାଜନୀତିର ପୁରୁଖା ନେତା ତଥା ନବୀନଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା ବି ବାଚସ୍ପତି ଦୌଡରେ ଅଛନ୍ତି । ଯଦି ନବୀନ ପଟ୍ଟନାୟକ ଦଳିତ କାର୍ଡ ଖେଳିବାକୁ ଇଚ୍ଛା କରନ୍ତି ତେବେ ବାଚସ୍ପତି ପଦ ପାଇଁ ପ୍ରଥମ ନାମ ହେଉଛି ଶଶିଭୂଷଣ ବେହେରା । ଚଳିତ ମନ୍ତ୍ରୀମଣ୍ଡଳରେ ସେ ସ୍ଥାନ ପାଇ ନଥିବାରୁ ବିଜେଡି ସୁପ୍ରିମୋ ତାଙ୍କୁ ସନ୍ତୋଷ୍ଟ କରିବାକୁ ବାଚସ୍ପତି କିମ୍ବା ଉପ-ବାଚସ୍ପତି ପଦ ଦେଇ ପାରନ୍ତି ।

ଏସବୁ ଭିତରେ କିନ୍ତୁ ଅନ୍ୟ ଏକ ଆଲୋଚନା ବି ଜୋର ଧରିଛି । କାରଣ ସର୍ବଦା ନିର୍ଣ୍ଣାୟକ ମୋଡରେ ନବୀନ ମାଷ୍ଟର ଷ୍ଟ୍ରୋକ ଖେଳି ଆଲୋଚକ ଓ ସମୀକ୍ଷକଙ୍କୁ ମାତ ଦେଇଥାନ୍ତି । ସେହି କ୍ରମରେ ଯଦି ଦେଖିବା ତେବେ ଜଣେ ମହିଳାଙ୍କୁ ବାଚସ୍ପତି ଆସନରେ ବସାଇ ନବୀନ ମହିଳା କାର୍ଡ ଖେଳି ପାରନ୍ତି । ଏନେଇ ସବୁଠାରୁ ଆଗରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବିଧାସଭାରୁ ୬ ଥର ବିଧାୟକ ହୋଇଥିବା ଓଷା ଦେବୀ । କେବଳ ବିଧାୟକ ନୁହେଁ ସେ ୨୦୧୧ ରୁ ୨୦୧୯ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀପଦ ବି ସମ୍ଭାଳି ଛନ୍ତି । ତେଣୁ ୨୦୧୯ ନିର୍ବାଚନରେ ନବୀନ ଯେଭଳି ମହିଳା କାର୍ଡ ଖେଳି ସଫଳ ହୋଇଥିଲେ ସେହି କଥାକୁ ନଜର କଲେ ମୁଖ୍ୟମନ୍ତ୍ରୀ ଓଷା ଦେବୀଙ୍କୁ ବି ବାଚସ୍ପତି ପଦ ଦେଇ ପାରନ୍ତି ।

Share this…
Share on Facebook

Facebook