ଓଡିଶା ପ୍ରଦେଶ ଗଠନର ମୁଖ୍ୟ ଅବଦାନ (ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ) ୪୮ତମ ଶ୍ରାଦ୍ଧ ବାର୍ଷିକୀ

ସେସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରଶାସନିକ ଅଧିନରେ ରହିଥିଲା । ସମସ୍ତ ଓଡ଼ିଆ ଭାଷାଭାଷୀ ଲୋକ ଗୋଟିଏ ଅଞ୍ଚଳରେ ରହିଲେ,ଉନ୍ନତୀ ସମ୍ଭବ ବୋଲି କୃଷ୍ଣଚନ୍ଦ୍ର ଦେବ ହୃଦୟଙ୍ଗମ କରିପାରିଥିଲେ । ତଦନୁସାରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କାର୍ଯ୍ୟ କରିବାକୁ ସେ ଶପଥ ଗ୍ରହଣ କରିଥିଲେ । ପାରଳାଖେମୁଣ୍ଡିଠାରେ ୧୯୧୨ରେ ହୋଇଥିବା ଉତ୍କଳ ସମ୍ମିଳନୀରେ ସେ ଜଣେ ପୁରୋଧା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।୧୯୧୪ ମସିହା ଡିସେମ୍ବର ୨୭ ଓ ୨୮ ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡିଠାରେ ଆହୂତ କରି ନିଜର କର୍ମକୁଶଳତା ଦେଖାଇଥିଲେ । ସେଠାରେ ପ୍ରଥମଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ । ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ,”ଓଡ଼ିଆ ଭାଷାଭାଷୀଙ୍କୁ ଏକ ଶାସନାଧୀନ କରିବାପାଇଁ କେବଳ ଦାବି ନ କରି ସମଗ୍ର ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରୀତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ।” କୃଷ୍ଣଚନ୍ଦ୍ରଙ୍କର ଏଇଭଳି ବଳିଷ୍ଠ ଓ ଅକାଟ୍ୟ ଯୁକ୍ତି ସମ୍ମିଳନୀର ନେତୃବର୍ଗ ଏପରିକି ବୟୋଜ୍ୟୋଷ୍ଠ ନେତା ମଧୁବାବୁଙ୍କୁ ମଧ୍ୟ ଚକିତ କରି ଦେଇଥିଲା ଏବଂ ଗଜପତିଙ୍କର ଏହି ବଜ୍ର ନିର୍ଘୋଷ ନିନାଦ ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଶଶିଭୂଷଣ ରଥ ଓ ମଧୁସୂଦନ ଦାସ ଇତ୍ୟାଦିଙ୍କ ସମର୍ଥନ ପାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ପ୍ରସ୍ତାବ ଭାବରେ ଉତ୍କଳ ସମ୍ମିଳନୀରେ ଗୃହୀତ ହେଲା । ୧୯୧୭ ମସିହାରେ ମଣ୍ଟେଗୁ-ଚେମସ୍ ଫୋର୍ଡ କମିଟି ଭାଷାଭିତ୍ତିକ ପ୍ରଦେଶ ଗଠନ ସପକ୍ଷରେ ମତ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଉତ୍କଳର ସଦସ୍ୟଭାବେ କୃଷ୍ଣଚନ୍ଦ୍ର ଦିଲ୍ଲୀଠାରେ ମଣ୍ଟେଗୁଙ୍କ ସହିତ ସାକ୍ଷାତ କରିଥିଲେ । ୧୯୨୨ ମସିହାରେ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପାଇଁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଗୃହୀତ ହୋଇଥିଲା । ଫିଲିପ୍ ଡଫ୍ କମିଟି ବିଶାଖାପାଟଣା ଓ ଗଞ୍ଜାମ ଗସ୍ତ ବେଳେ ଗଜପତିଙ୍କ ସହିତ ସାକ୍ଷାତ କରିଥିଲେ । ୧୯୨୭ ମସିହାରେ ଭାରତରେ ଶାସନ ସଂସ୍କାର ପାଇଁ ବ୍ରିଟିଶ୍ ସରକାର ସାଇମନ୍ କମିଶନ୍ ନିଯୁକ୍ତି କରିଥିଲେ । ସମଗ୍ର ଦେଶ ସେତେବେଳେ ସାଇମନ୍ କମିଶନଙ୍କୁ ବାସନ୍ଦ କରିଥିଲେ । କିନ୍ତୁ ଓଡ଼ିଶାର ସ୍ୱାର୍ଥ ନିମନ୍ତେ ଗଜପତି ଅଣ୍ଟାଭିଡ଼ି ସାଇମନ୍ କମିଶନ୍ଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଆଗେଇ ଆସିଥିଲେ । ଯା’ଫଳରେ ଓଡ଼ିଶା କଥା ବିଚାର କରିବା ପାଇଁ ଅଟଲିଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରାଗଲା ଓ ସେହି କମିଟି ଓଡ଼ିଶା ପାଇଁ ଅନୁକୂଳ ମତ ପ୍ରକାଶ କଲେ । ପ୍ରଥମ ଗୋଲ ଟେବୁଲ ବୈଠକ (୧୯୩୦-୩୧) ଲଣ୍ଡନଠାରେ ଅନୁଷ୍ଠିତ ହେଲା । ବିହାର ଓ ଓଡ଼ିଶା ସରକାଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟଭାବେ ଗୋଲ ଟେବୁଲ୍ ବୈଠକରେ ଯୋଗ ଦେଇଥିଲେ ।

ବୈଠକରେ ଓଡ଼ିଶାର ଦାବୀ ଉତ୍‌ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି କହିଥିଲେ,”ଆମେ ଚାହୁଁ ଭାଷା ଓ ଜାତି ସୂତ୍ରରେ ପ୍ରଦେଶ ଗଠନ । ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ ।” ଏହି ମନୀଷୀଙ୍କ ଯୁକ୍ତିଯୁକ୍ତ ବକ୍ତବ୍ୟ ଶୁଣି ଗୋଲ ଟେବୁଲ୍ ବୈଠକରେ ଉପସ୍ଥିତ ବ୍ରିଟିଶ ସରକାରଙ୍କର ପ୍ରତିନିଧିମାନେ ସ୍ତବ୍ଧ ହୋଇଯାଇଥିଲେ ।

ବିଲାତ ସରକାର ୧୯୩୧ ମସିହାରେ ଓଡ଼ନେଲ କମିଟି ବସାଇଲେ ଓ ଏହି କମିଟି ମୂଖ୍ୟତଃ ତିନୋଟି ବିଷୟ ପ୍ରତି ଧ୍ୟାନ ଦେଇଥିଲେ । ତନ୍ମଧ୍ୟରୁ ଗୋଟିଏ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୀମା ନିର୍ଦ୍ଧାରଣ । ୧୯୩୨ ମସିହାରେ ଓଡ଼ନେଲ କମିଟି ରିପୋର୍ଟ ପ୍ରକାଶ ପାଇଲା । ଫିଲିପ୍ ଡଫ୍ କମିଟିର ଅନୁମୋଦନ ଲାଭକରି ୧୯୩୩ ମସିହାରେ ଏହି ବିଷୟ ଶ୍ୱେତପତ୍ରରେ ପ୍ରକାଶ ପାଇଲା । ଏହି ଶ୍ୱେତପତ୍ର ନୈରାଶ୍ୟଜନକ ଥିଲା । କାରଣ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରୀ ଏଥିରୁ ବାଦ୍ ପଡ଼ିଥିଲା । ମଧୁବାବୁଙ୍କ ନିବେଦନ କ୍ରମେ କୃଷ୍ଣଚନ୍ଦ୍ର ଜଏଣ୍ଟ ସିଲେକ୍ଟ କମିଟି ଆଗରେ ଏହି କଥା ଉପସ୍ଥାପନା କରିବା ନିମନ୍ତେ ବିଲାତ ଯାଇ ୧୯୩୪ରେ ପାରଳାଖେମୁଣ୍ଡିର ଓଡ଼ିଶାରେ ମିଶ୍ରଣ ପାଇଁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିଠାରେ ଆବେଦନ କରିଥିଲେ । ଏହି କମିଟିର ଅଧ୍ୟକ୍ଷ ଲର୍ଡ଼ ଲିନ୍‌ଲିଥ୍‌ଗୋଙ୍କୁ ପ୍ରଭାବିତ କରିପାରିଥିଲେ । ପରେ ଭାରତର ବଡ଼ଲାଟ ଲର୍ଡ଼ ଉଇଲିଂଡ଼ନ୍‌ଙ୍କୁ ପ୍ରଭାବିତ କରି ଓଡ଼ିଶା ସହିତ ପାରଳାଖେମୁଣ୍ଡି ଓ ଜୟପୁରକୁ ମିଶାଇବା ପାଇଁ ରାଜି କରାଇ ପାରିଥିଲେ । ତାଙ୍କଦେଇ ଲେଖା ମେମୋରେଣ୍ଡମରେ ଓଡ଼ିଶା ସହିତ ପାରଳାଖେମୁଣ୍ଡିର ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଁ ସ୍ପଷ୍ଟ ଦାବିକୁ ଅଗ୍ରାଧିକାର ଦେଇ ଇଂରେଜ ସରକାର ଏହାକୁ ଓଡ଼ିଶା ଅନ୍ତର୍ଗତ କରିଥିଲେ ଓ ୧୯୩୬ ଏପ୍ରିଲ ପହିଲାରେ ଏହି ଦାବି ଓ ଉତ୍କଳ ସମ୍ମିଳନୀର ଦାବି ଫଳରେ ୬ ଗୋଟି ଜିଲ୍ଲାକୁ ନେଇ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ଲାଭ କଲା ।

ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସେ ତିନିଥର ଲଣ୍ଡନ ଯାଇଥିଲେ । ଶୁଣାଯାଏ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ୱତନ୍ତ୍ର ଉତ୍କଳ ଗଠନ ନେଇ ବାରମ୍ବାର ଲଣ୍ଡନ ଯିବାଫଳରେ ସେ ଅର୍ଥନୈତିକ ଚାପରେ ପଡ଼ି ରାଜପ୍ରସାଦର ବହୁ ମୂଲ୍ୟବାନ ଅଳଙ୍କାର ପ୍ରଜାଙ୍କ ମଙ୍ଗଳପାଇଁ ବିକ୍ରି କରିଥିଲେ ।

ନିଜ ଶାସନ କାଳରେ ସେ ନିଜ ରାଜ୍ୟ ଭିତର ଦେଇ ନୂଆପଡ଼ା-ପାରଳାଖେମୁଣ୍ଡି ରେଳପଥକୁ ଗୁଣୁପୁର ଯାଏ ସମ୍ପ୍ରସାରିତ କରିଥିଲେ । କୃଷି ଓ ଶିଳ୍ପ ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ବସାଇଥିଲେ । ରାଜ୍ୟରେ ଜଳ ସେଚନର ସୁବିଧା ପାଈଁ ନଳିନୀ କୃଷ୍ଣ ସାଗର କାଶୀ ନଗରଠାରେ ଖୋଳାଇ ଥିଲେ ,ସାହିତ୍ୟ ଗବେଷଣା ପାଈଁ ଗୋପୀନାଥ ନନ୍ଦ ଓ ଗୋପାଳ ପ୍ରହରାଜଙ୍କ ଭଳି ଗବେଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।

କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚଶିକ୍ଷାର ସୁବିଧା ପାଇଁ କଲେଜ ପ୍ରତିଷ୍ଠା କରିବା ସଙ୍ଗେସଙ୍ଗେ ଗରିବ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ବ୍ୟବସ୍ଥା ମଧ୍ୟ କରିଥିଲେ । ମହାରାଜାଙ୍କ ମନ୍ତ୍ରୀତ୍ୱ ଥିବାଯାଏ ତାଙ୍କର ମାସିକ ଦରମା ଓ ଗସ୍ତଖର୍ଚ୍ଚ ସବୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାନ କରୁଥିଲେ । ପଣ୍ଡିତ ଗୋପୀନାଥ ନନ୍ଦଙ୍କ “ଓଡ଼ିଆ ଶବ୍ଦତତ୍ତ୍ୱବୋଧ ଅଭିଧାନ”ର ମୁଦ୍ରଣ ଖର୍ଚ୍ଚ, ଗୋପାଳକୃଷ୍ଣ ପଦ୍ୟାବଳୀର ପ୍ରକାଶନ, ଜଗବନ୍ଧୁ ସିଂହଙ୍କ “ପ୍ରାଚୀନ ଉତ୍କଳ” ପ୍ରକାଶନ, ସିଂହଭୂମି ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ,”ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୫ମ ଖଣ୍ଡ”ର ମୁଦ୍ରଣ ଓ ବହୁ କାବ୍ୟର ପ୍ରକାଶନ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଇ ଗଜପତି ନିଜକୁ ଜଣେ ସାହିତ୍ୟାନୁରାଗୀ ଭାବରେ ପରିଚୟ ଦେଇଥିଲେ । ସେ ତତ୍‌କାଳୀନ ଓଡ଼ିଶାର କୃଷକମାନଙ୍କ ଉନ୍ନତି ପାଇଁ ପାରଳାଖେମୁଣ୍ଡିରେ ଆଦର୍ଶ କୃଷି ଫାର୍ମ ଓ କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାର ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା । ସେ ପାରଳାଖେମୁଣ୍ଡିଠାରେ ମଧ୍ୟ ଏକ ଛୋଟ ଇସ୍ପାତ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରି ତାହାକୁ ଟାଟା କମ୍ପାନୀ ସହିତ ଚୁକ୍ତି କରିଥିଲେ । ଓଡ଼ିଶାରେ କଳା ଓ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ତାଙ୍କର ଅବଦାନ ଅତୁଳନୀୟ । ବିଶେଷ କରି ଲଳିତକଳା, ସାହିତ୍ୟ, ସଙ୍ଗୀତ, ରାଗ ରାଗିଣୀ, ଗୋଟିପୁଅ ନାଚ ବା ଗାନ୍ଧର୍ବ ବିଦ୍ୟାରେ ମହାରାଜାଙ୍କ ଜନ୍ମସ୍ଥାନ ପାରଳାଖେମୁଣ୍ଡି ଥିଲା ଚିରପ୍ରସିଦ୍ଧ । ଯାହାକି ସହରର ଅବସ୍ଥିତି ସାହିତ୍ୟ ସଙ୍ଗୀତର ଏକ କ୍ଷୁଦ୍ର ସଂସ୍କରଣ ବୋଲି ମନେହୁଏ । ଘୁମୁସରର ରାଜା ଧନଞ୍ଜୟ ଭଞ୍ଜ ନାତି ଉପେନ୍ଦ୍ର ଭଞ୍ଜଙ୍କୁ କଥା ଛଳରେ କହିଥିଲେ –

“ଗଣିତରେ ଖଣ୍ଡପଡା ସଂସ୍କୃତରେ ନୟାଗଡ଼
କ୍ଷତ୍ରିୟରେ ଘୁମୁସର
ଧରାକୋଟ ରାଜନୀତି,
ଗନ୍ଧର୍ବବିଦ୍ୟାରେ ପାରଳାଖେମୁଣ୍ଡି
ମନେରଖିଥିବୁ ନାତି ।”

Share this…
Share on Facebook

Facebook