ସୁରତରେ ଓଡ଼ିଆ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭଞ୍ଜନଗର:ଗୁଜୁରାଟର ସୁରତ ସହରକୁ ସୂତାକଳରେ କାମ କରିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କୁ ସେଠାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବଡ଼କୋଦଣ୍ଡା ତଳସାହିର ଗୋପାଳ କୃଷ୍ଣ ସ୍ବାଇଁଙ୍କ ଏକମାତ୍ର ପୁଅ ରବୀନ୍ଦ୍ର ସ୍ବାଇଁ(୪୧)। ତାଙ୍କ ମୃତଦେହକୁ ସୁରତରେ ଥିବା ଏକ ଜଙ୍ଗଲରୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ରବୀନ୍ଦ୍ର ଗତ ଦୀପାବଳି ପୂର୍ବରୁ ଗ୍ରାମକୁ ଆସି ୨ ମାସ ପାଖାପାଖି ରହି ପୁଣି ସୁରତକୁ କାମ କରିବାକୁ ଯାଇଥିଲେ। ଗତ ୧୩ ତାରିଖରେ ରବୀନ୍ଦ୍ରଙ୍କ ଶାଳିର ବିବାହ କାର୍ଯ୍ୟ ରହିଥିଲା। ଏଥିପାଇଁ ସେ ଭୁବନେଶ୍ବର ଆସିବାର ଥିଲା। ମାତ୍ର କୌଣସି କାରଣକୁ ନେଇ ରବୀନ୍ଦ୍ର ବାହାଘରକୁ ଆସିବେ ନାହିଁ ବୋଲି ପରିବାର ଲୋକଙ୍କୁ ଜଣାଇ ଥିଲେ। ଏହାପରେ ଗତ ୩ଦିନ ହେଲା ରବୀନ୍ଦ୍ରଙ୍କୁ ପରିବାର ଲୋକେ ଯୋଗାଯୋଗ କରୁଥିଲେ ହେଁ ତାଙ୍କ ନମ୍ବର ଲାଗୁନଥିଲା। ନେଟଵର୍କ କିମ୍ବା ମୋବାଇଲ୍ ସମସ୍ୟା ଥିବା ଭାବି ପରିବାର ଲୋକେ ସେତେଟା ଗୁରୁତ୍ବ ଦେଇନଥିଲେ। କିନ୍ତୁ ସେ ରହୁଥିବା ଘରର ଅନ୍ୟ ସଦସ୍ୟ ରବୀନ୍ଦ୍ର ୨ଦିନ ଧରି ଘରକୁ ଫେରି ନଥିବା ପରିବାର‌ ଲୋକଙ୍କୁ ଫୋନ୍‌ କରି କହିଥିଲେ। ଏହାପରେ ରବୀନ୍ଦ୍ରଙ୍କ ନିଖୋଜ ସଂର୍ପକରେ ଥାନାରେ ଅଭିଯୋଗ କରିବାକୁ ଗତକାଲି ପରିବାର ଲୋକ କହିଥିଲେ।
ଶନିବାର ରାତିରେ ସୁରତ ପୁଲିସ ରବୀନ୍ଦ୍ରଙ୍କ ପରିବାର ଲୋକକୁ ତାଙ୍କ ମୃତଦେହ ମିଳିଥିବା ସୂଚନା ଦେଇଥିଲା। ରବୀନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ପରିବାର ‌ଲୋକ ସଂପୂର୍ଣ୍ଣ ଭାଙ୍ଗି ଯାଇଛନ୍ତି। କାନ୍ଦ ବୋବାଳିରେ ଘର ଫାଟି ପଡୁଥିବା ବେ ଳେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ରବୀନ୍ଦ୍ର ବେଣାକୁନ୍ଦା ଗ୍ରାମରେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୧୩ ବର୍ଷର ପୁଅ ଏବଂ ଗୋଟିଏ ୧୦ ବର୍ଷର ଝିଅ ଗ୍ରାମରେ ରହିଛନ୍ତି। ପ୍ରାଥମିକ ତଦନ୍ତ କରି ସେଠାକାର ପୁଲିସ ତାଙ୍କ ମୁଣ୍ଡ,ମୁହଁ ଓ ଆଖିରେ ଆଘାତ ଲାଗିଛି। ମୃତଦେହ ଯେଉଁ ଠାରେ ପଡ଼ି ରହିଛି ସେହି ସ୍ଥାନରେ ରକ୍ତ ଛିଟା ବା ଅନ୍ୟାନ୍ୟ କୌଣସି ଜିନିଷ ଆଖପାଖରେ ପଡ଼ିନଥିବାରୁ ତାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିବା ପୁଲିସ ଅନୁମାନ କରୁଛି। ତେବେ ତାଙ୍କର କାହା ସହିତ ଶତ୍ରୁତା ନଥିବା ବେଳେ କିଭଳି ତାଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ‌ହୋଇ ପାରିନାହିଁ। ରବିନ୍ଦ୍ର ନିଖୋଜ ହେବା ପୂର୍ବରୁ ସୁରତରେ ହୋଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ଏକ ଭିଡିଓ ପରିବାର ଲୋକ ପାଇଛନ୍ତି। ତେବେକ କିଭଳି ଏବଂ କେଉଁ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ। ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ରବୀନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆଜି ସେଠାରେ ଥିବା ତାଙ୍କର ଏକ ଭିଣୋଇ ସେଠାକୁ ଆସିବା ପରେ ସେଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ରବୀନ୍ଦ୍ରଙ୍କ ବାପା ସୂଚନା ଦେଇଛନ୍ତି। ଉକ୍ତ ଗ୍ରାମର ଆଉ ଜଣେ ଯୁବକ ଭିକାରୀ ପରିବାର ପ୍ରତିପୋଷଣ ପାଇଁ କେରଳ ଯାଇଥିବା ବେଳେ ଗତ ବୁଧବାର ଦିନ ତାଙ୍କର ସେଠାରେ କାନ୍ଥ ପଡି ମୃତ୍ୟୁ ଘଟିଥିଲା ପୁଣି ସପ୍ତାହକ ପରେ ‌ଗ୍ରାମର ଆଉ ଜଣେ ଯୁବକଙ୍କ ସୁରତରେ ମୃତଦେହ ମିଳିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Share this…
Share on Facebook

Facebook