ଘରର ଏକମାତ୍ର ପୁଅ କରଜ ସୁଜିବା ପାଇଁ ଅନ୍ୟ ରାଜ୍ୟ କୁ ଜାଇଥିଲେ । ଦାଦନ ଶ୍ରମିକ ମୁତୂ

ଭଂଜନଗର : ସରୁନି ଦାଦନ ଦୁଃଖ ପିଛା ଛାଡୁନି ଯନ୍ତ୍ରଣା। ନିଜ‌ ଅଞ୍ଚଳରେ ରୋଜଗାରର ପନ୍ଥା ନପାଇଁ ପେଟପାଟଣା ପାଇଁ ଭିଟାମାଟି ଛାଡି ରାଜ୍ୟ ବାହାରକୁ କିଛି ଟଙ୍କା ପାଇବା ଆଶାରେ ଦାଦନ ଖଟିବାକୁ ଯାଇଥିବା ବ‌େଳେ ଟଙ୍କା ବଦଳରେ ଘରକୁ ଆସିଛି ମୃତଦେହ। ଦାଦନ କଷଣର ଏଭଳି ଅନେକ ଦୁଖଦ ଚିତ୍ର ସାମ୍ନାକୁ ଆସୁଥିବା ବେଳେ ସେଥିରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ଦାଦନ ଯନ୍ତ୍ରଣାରେ ପରିବାରର ଏକ ମାତ୍ର ରୋଜଗାରିଆ ଚାଲିଯିବା ଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବଡ଼କୋଦଣ୍ଡା ଗ୍ରାମର ବନମାଳୀ ନାଇକଙ୍କ ପୁଅ ଭିକାରୀ ନାଇକ(୨୧)। ସେ କେରଳ ରାଜ୍ୟକୁ ଗତ ୧୫ ଦିନ ତଳେ କାମ କରିବାକୁ ଯାଇଥିବା ବେଳେ ଗତ ୧୬ ତାରିଖ ଦିନ କାମ କରୁଥିବା ସମୟରେ କାନ୍ଥ ପଡି ମୃତ୍ୟୁ ଘଟିଛି। ଆଉ ଏହି ଖବର ଗ୍ରାମରେ ପହଞ୍ଚିବା ପରେ ପାଦ ତଳୁ ଯେମିତି ମାଟି ଖସିଗଲା ପୂରା ପରିବାରର। ବେସାହାରା ପାଲଟି ଗଲେ ପୁରା ପରିବାର। ପୁଅକୁ ଝୁରି ଝୁରି ଆଖିରୁ ଲୁହ ଶୁଖୁ ନଥିବା ବେଳେ କିଛି ଦିନ ତଳେ ଦୀର୍ଘାୟରୁ ଆର୍ଶିବାଦ ଦେଇ ବିଦାୟ ଦେଇଥିବା ମାଆ ଗୋଲାପ ଜମାରୁ ବିଶ୍ବାସ କରିପାରୁ ନାହାନ୍ତି ପୁଅର ଏଭଳି ଅକାଳ ବିୟୋଗକୁ। ଏଭଳି କରୁଣ ଚିତ୍ର ଦ‌େଖିବାକୁ ମିଳିଛି ଭିକାରୀଙ୍କ ପରିବାର କ୍ଷେତ୍ରରେ।
ଭିକ‌‌ାରୀଙ୍କ ପରିବାର କହିଲେ ବାପା ମାଆଙ୍କ ସମେତ ତିନି ଭଉଣୀ। ଦୁଇ ଭଉଣୀଙ୍କ ବିବାହ ସରିଯାଇଥିବା ବେଳେ ବାପାଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ଭିକାରୀଙ୍କ ଉପରେ ପରିବାର ଦାୟିତ୍ବ ରହିଥିଲା। ସେ ଦଶମ ପାସ୍‌ କରିବା ପରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ। ଏହାପରେ କରୋନା ମହାମାରୀ ପାଇଁ ପାଠ ଅଧାରୁ ଛାଡି ଥିଲେ। ଏଠାରେ କିଛି କାମଧନ୍ଦା ନପାଇବାରୁ ପୂର୍ବର କେରଳରେ ରହୁଥିବା କିଛି ବନ୍ଧୁଙ୍କ ସହ ଯୋଗାଯୋଗ କରି କେରଳ ରାଜ୍ୟର ମାଲା ପୁଲିସ୍‌ ଷ୍ଟେସନ୍‌ ଅଧୀନ ଥ୍ରିସୁର୍‌ ଇଲାକାକୁ ଯାଇଥିଲେ। ସେଠାରେ ଏକ ଠିକାଦାର ଅଧୀନରେ ଘର ନିର୍ମାଣ କାର୍ଯ୍ୟ କରୁଥିଲେ। ୧୬ ତାରିଖ ଦିନ କାମ କରୁଥିବା ‌ସମୟରେ ଏକ ସିମେଣ୍ଟ୍‌ କାନ୍ଥ ତା ଉପରେ ପଡିଯିବାରୁ ଗୁରୁତର ଆହାତ ହୋଇଥିଲେ। ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ଭିକାରୀକୁ ମୃତ ଘୋଷଣା କରିଥ‌ିଲେ। ଏହାପରେ ସେଠାରେ ଥିବା ତାଙ୍କ ସଂର୍ପକୀୟ ମାମୁଁ ସୁଧୀର ନାଇକ ସଂପୃକ୍ତ ମାଲିକ ସହ ଯୋଗାଯୋଗ କରି ବିମାନ ଯୋଗେ ଭୂବନେଶ୍ବର ଆଣିଥିଲେ। ‌ଏହାପରେ ଓଡ଼ିଶା ମୋ ପରିବାର ସହଯୋଗରେ ଭୂବନେଶ୍ବରରୁ ନିଜ ଗ୍ରାମ ବଡ଼କୋଦଣ୍ଡାକୁ ଭିକାରୀର ମୃତଦେହ ଅଣାଯାଇଥିବା ସୁଧିର କହିଛନ୍ତି। ଦୀର୍ଘ ୪ ଦିନ ପରେ ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସାହିବାସୀଙ୍କ ସହଯୋଗରେ ନିକଟସ୍ଥ ଶ୍ମଶାନରେ ‌ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏକାକୀ ରୋଜଗାରିଆ ପୁଅ ଚାଲିଯିବା ପରେ ପରିବାର ସଂପୂର୍ଣ୍ଣ ବେସାହାରା ପାଲଟି ଯାଇଛି। ମାଆଙ୍କ ପାଟିରୁ କଥା ବାହାରୁ ନଥିବା ବ‌େଳେ ଆଗାମୀ ଦିନରେ ପରିବାର କିଭଳି ଚଳିବ ତାକୁ ନେଇ ଚିନ୍ତାରେ ରହିଛନ୍ତି। ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ତୁରନ୍ତ‌ ସେମାନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାହି ବାସୀ ଦାବି କରିଛନ୍ତି।

Share this…
Share on Facebook

Facebook