କିନୀ ଇମ୍ଫୋଟେକ ଠକେଇ ମାମଲା; ଦିଲ୍ଲୀରୁ ୪ କର୍ମଚାରୀ ଗିରଫ

 

ଭଞ୍ଜନଗର, ୪/୫ ଭଞ୍ଜନଗର ହାଇସ୍କୁଲ୍ ଛକରେ ଥିବା କିନୀ ଇମ୍ଫୋଟେକ ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଗତ ଏକ ତଳେ ଖୋଲାଯାଇଥିଲା। ଏହି ସଂସ୍ଥା ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ବ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲା । ଏନେଇ କିଛି ଜମାକାରୀ ଥାନାରେ ମାମଲା ଖୁଜୁ କରିବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହାକୁ ହାତକୁ ନେଇଛି। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଭଞ୍ଜନଗର ଥାନାକୁ ଆସି ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲେ। କମଦିନରେ ଅଧିକ ଟଙ୍କା ମିଳୁଥିବାରୁ, ନିବେଶକାରୀମାନେ କମ୍ପାନି ପ୍ରତି ଆକର୍ଷିତ ହେଉଥିଲେ। ସବୁ କାମ ଅନ୍‌ଲାଇନ୍‌ରେ ହେଉଥିବାରୁ କାର୍ଯ୍ୟାଳୟରେ ଭିଡ଼ ବି ପରିଲକ୍ଷିତ ହେଉ ନଥିଲା।କୋଟିକୋଟି ଟଙ୍କା ଅନ ଲାଇନରେ କାରବାର କରିଥିବା ଉକ୍ତ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ଭଞ୍ଜନଗର ପୁଲିସ ଦିଲ୍ଲୀରୁ ଗିରଫ କରିଛି। ଏଥିସହ ସାବିତ୍ରୀ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏହି ସଂସ୍ଥାର କାର୍ଯ୍ୟାଳୟ ଏବଂ ବୁଗୁଡା ଥାନା ସୋରଡ଼ ଗ୍ରାମସ୍ଥିତ ସଂସ୍ଥାର ମାଲିକଙ୍କ ଘରକୁ ଯାଇ ତଦନ୍ତ କରି ଫେରିଛନ୍ତି।ବହୁ ବେକାରୀ ଓ ଛାତ୍ରଛାତ୍ରୀ ଏଥିପ୍ରତି ଆକର୍ଷିତ ହୋଇ କମ୍ପାନିରେ ଅର୍ଥ ବିନିଯୋଗ କରୁଥିଲେ। ଏପରିକି କିଛି ନିବେଶକାରୀ ଧାର କରଜ ଆଣି ଏଥିରେ ଟଙ୍କା ବିନିଯୋଗ କରୁଥିଲେ।ଗିରଫ ଅଭିଯୁକ୍ତମାନେ ହେଲେ, ରାଜେନ୍ଦ୍ର କୁମାର ଗୌଡ଼, ରାଜେଶ କୁମାର ଭୋଳ,ଚିନ୍ମୟ କୁମାର ଦାଶ ଓ ପ୍ରଭାତ କୁମାର ଦାଶ।କୋକଲୁଣ୍ଡା ଗ୍ରାମର ମନୋଜ କୁମାର ବରାଡ଼ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ସଂସ୍ଥାରେ ଜମା କରିଥିଲେ ମଧ୍ୟ କମ୍ପାନି ଟଙ୍କା ଦେଉ ନଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେବାପରେ କେସ୍ ନମ୍ବର ୪୦/୨୨ ଅନୁସାରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ଅଭିଯୁକ୍ତମାନେ ଦିଲ୍ଲୀରେ ଆତ୍ମଗୋପନ କରିଥିବା ଜଣାପଡ଼ିବା ପରେ ପୁଲିସର ଏକ ଟିମ୍ ଦିଲ୍ଲୀରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲା ।ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି। ଡିଟିପି ପ୍ରୋଜେକ୍ଟ କିଣିବା ନାମରେ ବିଭିନ୍ନ ସ୍କିମ୍ ଜରିଆରେ ଏହି ସଂସ୍ଥା ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଥିଲା। ପ୍ରୋଜେକ୍ଟ ଅବଧି ସରିବାପରେ କମ୍ପାନି ନିଜର ୱାଲେଟ ଜରିଆରେ ନିବେଶକାରୀଙ୍କୁ ଟଙ୍କା ଦେଉଥିଲା । ପ୍ରୋଜେକ୍ସକୁ ନିବେଶକାରୀମାନେ ଡ଼ିଟିପି କରି କମ୍ପାନିକୁ ପ୍ରଦାନ କରୁଥିଲେ। କିଛିଦିନ ପରେ କମ୍ପାନିର ୱାଲେଟରୁ ମୂଳ ଟଙ୍କା ସହ ଲାଭ ଅର୍ଥବି ନିବେଶକାରୀଙ୍କ ପାଖକୁ ଆସୁଥିଲା । ଏହାପରେ ନିବେଶକାରୀମାନେ ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ।ହେଲେ ଗତବର୍ଷ ଡିସେମ୍ବର ୨ ତାରିଖ ଠାରୁ ନିବେଶକାରୀମାନେ ସେମାନଙ୍କ ଟଙ୍କା ଫେରି ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଟଙ୍କା ପାଇବାରେ ସମସ୍ୟା ଦେଖା ଦେବା ପରେ ପ୍ରତିଦିନ ଶତାଧିକ ନିବେଶକାରୀ କାର୍ଯ୍ୟାଳୟ ସାମ୍ନାରେ ଜମା ହୋଇ ପାଟିତୁଣ୍ଡ କରୁଥିଲେ । ଗତ ଜାନୁଆରି ୧୫ ତାରିଖରେ କିଛି ଲୋକ ଅଫିସ୍ ଭିତରେ ଧସେଇ ପଶି ଭଙ୍ଗାରୁଜା କରିବା ସହ ୪ଟି କମ୍ପ୍ୟୁଟର୍ ଓ ଗୋଟିଏ ପ୍ରିଣ୍ଟର୍ ନେଇ ଯାଇଥିଲେ।ବର୍ତ୍ତମାନ କମ୍ପାନିର ୪ଜଣ କର୍ମଚାରୀ ଗିରଫ ହୋଇଥିଲେ ମଧ୍ୟ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରିପାଇବେକି ନାହିଁ ତାହାକୁ ନେଇ ଦ୍ଵନ୍ଦରେ ରହିଛନ୍ତି।

Share this…
Share on Facebook

Facebook