ସ୍କର୍ପିଓ ଚଢ଼ିଯିବାରୁ ସ୍କୁଟି ଚାଳକ ମୃତ, ଉତ୍ତ୍ୟକ୍ତ ଜନତାଙ୍କ ମାଡ଼ରେ ଅଧିକାରୀଙ୍କ ମୃତ୍ୟୁ

ମୟୁରଭଞ୍ଜ – ସ୍କର୍ପିଓ ଚାଳକଙ୍କ ପାଇଁ ୨ ଜଣଙ୍କର ଜୀବନ ଯାଇଛି। ଦ୍ରୁତଗାମୀ ସ୍କର୍ପିଓ ମାଡ଼ିଯିବାରୁ ପ୍ରଥମେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ତା’ପରେ ଉତ୍ତ୍ୟକ୍ତ ଜନତାଙ୍କ ମାଡ଼ରେ ସ୍କର୍ପିଓରେ ବସିଥିବା ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କତରା ନିକଟରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ହରିହର ସେଠୀ ଓ ଭାରତ ସରକାରଙ୍କ ଅଧିନରେ କାର୍ଯ୍ୟରତ ଅଧିକାରୀ ସତ୍ୟନାରାୟଣ ନନ୍ଦ (୪୫)।

ସୂଚନା ଅନୁସାରେ ଆଜି ଦିନ ୧୨ଟା ସମୟରେ ସ୍କର୍ପିଓ ଧକ୍କା ଦେବାରୁ ଗୋଷାଣୀପାଳ ଗ୍ରାମର ହରିହର ସେଠୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମୟରେ ସ୍କୁଟି ଆରୋହୀ ହରିହରଙ୍କ ଉପରେ ସ୍କର୍ପିଓ ଚଢ଼ିଯାଇଥିଲା। ହରିହରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଜନସାଧାରଣ ଉତ୍ତେଜିତ ହୋଇଥିଲେ। ସେମାନେ ସ୍କର୍ପିଓରେ ବସିଥିବା ଭାରତ ସରକାରଙ୍କ ନଳଜଳ ଯୋଜନାର ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା କେନ୍ଦୁଝର ଜିଲ୍ଲା ଆନ୍ଦପୁରର ସତ୍ୟନାରାୟଣ ନନ୍ଦ ଓ ଉତ୍ତରପ୍ରଦେଶରୁ ଆସିଥିବା ଅନ୍ୟ ଜଣେ ଅଧିକାରୀ ଫୁଲ ଚନ୍ଦ୍ର ଶର୍ମାଙ୍କୁ ନିସ୍ତୁକ ମାଡ଼ମାରିଥିଲେ। ଏଥି ସହିତ କ୍ଷତିପୂରଣ ଦାବିରେ ୪୯ ନମ୍ବର ରାଜ୍ୟ ରାଜପଥ (ବାଙ୍ଗିରିପୋଷି-ଝାରପୋଖରିଆ) ଅବରୋଧ କରିଥିଲେ।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରି ଆନ୍ଦୋଳନ ହଟାଇଥିଲା। ଲୋକଙ୍କ ଦ୍ବାରା ନିସ୍ତୁକ ମାଡ଼ ଖାଇଥିବା ସତ୍ୟନାରାୟଣ ଓ ଫୁଲ ଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଥିଲା।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ପୁଲିସ କହିଛି। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପଇଁତରା ମାରୁଛି। ତେବେ ଏବେ ସୁଦ୍ଧା ଜନସାଧାରଣ ଦ୍ବାରା ଅଟକ ସ୍କର୍ପିଓ ଡ୍ରାଇଭରଙ୍କ ମଧ୍ୟ ‌କୌଣସି ପତ୍ତା ମିଳି ନାହିଁ।ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook