ଆଜି ବିଶ୍ୱ ପଖାଳ ଦିବସ, ଖରା ଦିନିଆ ପଖାଳ ଖାଇବାର ମଜା ନିଆରା

ମୟୁରଭଞ୍ଜ : ମାର୍ଚ୍ଚ୨୦ତାରିଖ ବିଶ୍ୱ ପଖାଳ ଦିବସ ।
ଓଡ଼ିଆଙ୍କ ପଖାଳ ଭାତର ସ୍ୱାଦ ଟିକିଏ ନିଆରା।ଏବେ ଶୀତ ଋତୁ ଗଲାଣି ଗ୍ରୀଷ୍ମ ଆସୁଅଛି।ଫଳରେ ଖରାର ତେଜ ବଢ଼ୁଛି।ଏହି ସମୟରେ ଇଚ୍ଛାଲାଗେ ପଖାଳ ଖଣ୍ଡେ ମିଳିଯାଆନ୍ତା କି।ପଖାଳ ସହିତ ଶାଗ,ଭଜା,ଆଚାର,ପିଆଜ,ଲେମ୍ବୁ ଲଙ୍କାର ସମାହାର ଖାଦ୍ୟର ସ୍ୱାଦ ବଢାଇଦିଏ।ଏହା ଶରୀର ପ୍ରତି ହିତକର।ଏହି ଖାଦ୍ୟଟି ସରଳ କିନ୍ତୁ ଭିଟାମିନ ଯୁକ୍ତ ଓ ରୁଚିକର।ଧନୀ,ଗରିବ, ସହରାଞ୍ଚଳ ହେଉ କି ଗ୍ରାମଞ୍ଚଳ ସବୁଠାରେ ପଖାଳର ଚାହିଦା ଅଛି।ଏପରିକି ବଡ ବଡ ହୋଟେଲ ମାନଙ୍କରେ ମଧ୍ୟ ଏବେ ପଖାଳ ଗୋଟିଏ ପ୍ରିୟ ମେନୁ ଆକାରରେ ମିଳେ।ବର୍ତ୍ତମାନ ଏହାର ଚାହିଦା ଓ ଲୋକପ୍ରିୟତାକୁ ନେଇ “ବିଶ୍ୱ ପଖାଳ ଦିବସ”ପାଳନ ହେଉଛି ତେବେ ଆସନ୍ତୁ ପଖାଳର ନିଆରା ସ୍ୱାଦ ଅନୁଭବ କରିବା।
ସ୍ୱାଦିଷ୍ଠ ବ୍ୟଞ୍ଜନରେ ମହକିତ ହୁଏ ଓଡ଼ିଆଙ୍କ ବାରମାସରେ ତେର ପର୍ବ । ଖାଦ୍ୟ ପ୍ରିୟ ଓଡ଼ିଆ ତାର ଅତିପ୍ରିୟ ପଖାଳ ପାଇଁ ସୃଷ୍ଟି କରିଛି ଏଭଳି ଆଉ ଏକ ନିଆରା ଦିନ । ମାର୍ଚ୍ଚ 20 ଆସିଲେ ଗାଁରୁ ସହର ଆଉ ଝୁମ୍ପୁଡି ରୁ ତାରକା ହୋଟେଲ ଆଉ ହଷ୍ଟେଲ ଯାଏଁ ସବୁଠି ରାଜ କରେ ଭଳିକି ଭଳି ଆଇଟମ ସହ ମହକରେ ଭରା ପଖାଳ କଂସା ।

ଚାରିଆଡେ ପଖାଳର ଆସର ଭିତରେ ଆମ ଆମ ମୟୁରଭଞ୍ଜ ଜିଲ୍ଲା ବାରିପଦାର ମିର୍ଚ୍ଚ ମସାଲା ଓ ନମସ୍ତେ ବାରିପଦାରେ ନିଆରା ପଖାଳ ହାଣ୍ଡିରୁ ପରଖିଛୁ । ତେବେ ଆଉ କିଛି ଓଡ଼ିଆ ଘର ମାନଙ୍କରେ ମାଟିହାଣ୍ଡିରେ ରହିଛି ପଖାଳ । ତୋରାଣୀ ଉପରେ ଭାସୁଛି ଲଙ୍କା, କଟାପିଆଜ, ଧନିଆପତ୍ର, ଆଉ ଜିରାଭଜାର ଫୁଟଣ । ପାଖରେ କଂସା ପାତ୍ର ଉପରେ ପରଷାଯାଇଛି ଭଳିକି ଭଳି ସ୍ୱାଦ, ସୁଗନ୍ଧ ଓ ସ୍ବାସ୍ଥ୍ୟକର ଗୁଣରେ ଭରା ନାନା ପ୍ରକାର ବ୍ୟଞ୍ଜନ । ଏଭଳି ଖାଦ୍ୟ ପାଇଁ ସବୁ ଆଡେ ରହିଛି ଆଗ୍ରହ ଆଉ ଉତ୍ସାହ । ପଖାଳ ସହିତ ଟିକେ ଶୁଖୁଆ ହୋଇଗଲେ ତା ମଜା ଆଉ ଟିକିଏ ଅଲଗା ବୋଲି କହନ୍ତି ।ସବୁ ଓଡ଼ିଆ ପର୍ବ ପର୍ବାଣୀରେ ଭିନ୍ନ ବ୍ୟଞ୍ଜନ ପରଷୁ ଥିବା ଏହି କିଚେନ ର ପଖାଳ ଦିବସ ପ୍ରସ୍ତୁତି ଉପରେ ଟିକେ ନଜର ପକାନ୍ତୁ ।

ଖାଦ୍ୟକୁ ସ୍ୱାଦିଷ୍ଠ ଓ ସ୍ୱାସ୍ଥ୍ୟ ଉପଯୋଗୀ ବୋଲି ଏ ଜାତିର ଆରାଧ୍ୟ ଦେବତା ମଧ୍ୟ ବ୍ୟଞ୍ଜନପ୍ରିୟ । ସେ ଛପନ ଭୋଗୀ । ତାଙ୍କର ଆଶା ଟଙ୍କ ତୋରାଣୀରେ । ଓଡ଼ିଆ ଆଜି ତାର ସବୁଠୁ ପ୍ରିୟ ପଖାଳ ଦିବସରେ ସ୍ୱାଦ ସୁଗନ୍ଧ ଆଉ ତୃପ୍ତିକର ପଖାଳକୁ କିଭଳି ବା ଭୁଲିପାରିବ ।ପଖାଳ ଓଡ଼ିଆଙ୍କ ଭାବାବେଗ ସହ ସ୍ୱତପ୍ରବୃତ ଭାବେ ଜଡ଼ିତ । ଦେଶ ତଥା ଦେଶ ବାହାରେ ବସବାସ କରୁଥିବା ପ୍ରେତ୍ୟେକ ଓଡ଼ିଆଙ୍କର ଭାରି ପ୍ରିୟ ପଖାଳ। ବର୍ଷକ ବାର ମାସ, ଖରା,ବର୍ଷା,ଶୀତ ସବୁଦିନ ପଖାଳ ଗଣ୍ଡେ ପେଟରେ ନପଡ଼ିବା ଯାଏଁ ଶାନ୍ତି ମିଳେନା । ଯଦିଓ ପଖାଳ ଓଡ଼ିଆଙ୍କ ନିତି ଦିନିଆ ଖାଦ୍ୟ, ମାତ୍ର ଖରା ଦିନରେ ଏହା ବେଶି ଅନ୍ତରଙ୍ଗ ହୋଇଥାଏ । ପଖାଳ ସାଙ୍ଗକୁ, ଆଳୁ ଭର୍ତ୍ତା… ଛୁଇଁ ଭଜା…ବଡ଼ି ଚୁରା… ମାଛ ଭଜା .. ତା ସାଙ୍ଗକୁ ପିଆଜ ଖଣ୍ଡେ ଥିବ ଖାଇଦେଇ ତୋରାଣି ମୁନ୍ଦେ ପିଇଦେଲେ ‘ଓଃ କି ଶାନ୍ତି । ସତରେ ଏ ଶାନ୍ତି କୋଉ ନାମକରା ହୋଟେଲର ମେନୁ ଠୁ ଢେର ଆଗରେ।ପଖାଳ ଓଡ଼ିଆ ମାନଙ୍କର ଗର୍ବ ଐତିହ୍ୟ ଓ ଅମୃତ ସଦୃଶ । କାହିଁକି ନା ଏ ଜାତିର ଶ୍ରେଷ୍ଠ ଦେବତା ଜଗତର ନାଥ ଜଗନ୍ନାଥଙ୍କର ଭାରି ପ୍ରିୟ ପଖାଳ ଓ ସେଥିରୁ ବାହାରିଥିବା ଟଙ୍କ ତୋରାଣି ।
ସେଇଥିପାଇଁ ଖଟିଖିଆର ଭାତହାଣ୍ଡି ଠାରୁ ଆରମ୍ଭ କରି ପଞ୍ଚତାରକା ହୋଟଲ ସବୁଠି ପଖାଳର ଚାହିଦା । ବିଭିନ୍ନ ଖାଦ୍ୟ ମଧ୍ୟରୁ ଓଡ଼ିଆଙ୍କ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ।
ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ। ସାଧାରଣତଃ ଖରାଦିନେ ଲୋକମାନେ ଦହି ପଖାଳ ଖାଇବାକୁ ଭଲ ପାଆନ୍ତି। ଏବେ ଛୋଟବଡ଼ ହୋଟେଲ ଓ ରେଷ୍ଟ ରାଣ୍ଟ ଗୁଡ଼ିକରେ ବିଭିନ୍ନ ପ୍ରକାରର ପଖାଳ ଯଥା ଦହି ପଖାଳ, ଜୀରା ପଖାଳ, ବାସି ପଖାଳ, ସଜ୍ଜ ପଖାଳ ପ୍ରଭୁତି ପସ୍ତୁତ କରାଯାଉଛି। ଓଡ଼ିଆ ତଥା ଓଡିଶା ବାହାରରେ ମନ ମଧ୍ୟ ମହୁଛି ଏ ପଖାଳ। ସେଥିପାଇଁ ମାର୍ଚ୍ଚ୨୦ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଇଥାଏ ।ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook