ଆଦିବାସୀ ମାନଙ୍କ ବାହା ପର୍ବ ପାଳିତ

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ସନ୍ତରା ଗ୍ରାମପଞ୍ଚାୟତର ହୁତାପୁର ଉପକଣ୍ଠ ନୂଆସାହି ଗ୍ରାମରେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ବାହା ପର୍ବ ବୁଧବାର ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଫାଲଗୁନ ମାସର ପ୍ରଥମ ଚନ୍ଦ୍ର ଦର୍ଶନ ଠାରୁ ଦୋଳ ପୂର୍ଣିମା ପର୍ଯ୍ୟନ୍ତ ଏହି “ବାହାବଙ୍ଗା” ପର୍ବ ପାଳନ କରାଯାଇଥାଏ। “ବାହାବଙ୍ଗା”ର ପ୍ରଥମ ଦିନ ସାନ୍ତାଳ ମାନଙ୍କ ପୂଜାସ୍ଥଳ ଜାହେର ଥାନର ସଫାସୁତୁରା କାର୍ଯ୍ଯ କରାଯିବା ସହିତ ଗ୍ରାମର ପୂଜକ “ନାଏକେ”ଙ୍କ ଦ୍ୱାରା ଦେବାଦେବୀଙ୍କ ସ୍ନାନାଦି କାର୍ଯ୍ଯ ସମ୍ପନ୍ନ କରାଯାଇଥାଏ।

୨ୟ ଦିନ ପୂଜକ ନାଏକେଙ୍କ ଘରେ ନୀତି ସମ୍ପନ୍ନ ପରେ ପାରମ୍ପାରିକ ବାଦ୍ୟରେ ଗ୍ରାମର ମହିଳା ଓ ଯୁବତୀ ମାନେ ପାରମ୍ପାରିକ ବେଶରେ ସଜ୍ଜିତ ହୋଇ ନୃତ୍ଯୁର ତାଳେ ତାଳେ ପୂଜାସ୍ଥଳ ଜାହେର ଗାଳ୍‌ ପାଛଟି ନେଇଥାନ୍ତି। ରୀତିନୀତି ଅନୁସାରେ ଗ୍ରାମର ନାଏକେ ଙ୍କ ଦ୍ୱାରା ମାଝିବାବା ଏବଂ ଗ୍ରାମବାସୀ ଉପସ୍ଥିତିରେ ପୂଜାପାଠ ସମ୍ପନ୍ନ ହେଲାପରେ ପୁଣିଥରେ ପୂଜକ ଏବଂ ସହଯୋଗୀ ପୂଜକଙ୍କୁ ବାଦ୍ୟ ନୃତ୍ଯୁର ତାଳେ ତାଳେ ଘରକୁ ପାଛଟି ନିଆଯାଇଥାଏ।ବିଶେଷକରି ଶାଳ ଫୁଲକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରାଯିବା ପରେ ମହିଳାମାନେ ପୂଜକଙ୍କ ଠାରୁ ଫୁଲ ଗ୍ରହଣ କରି ମୁଣ୍ଡରେ ଖୋସିଥାନ୍ତି। ଏହି ପୂଜାରେ ସମଗ୍ର ଗ୍ରାମବାସୀଙ୍କ ମଙ୍ଗଳ କାମନା କରାଯିବା ସହ ଗ୍ରାମକୁ ଯେପରି ରୋଗବ୍ୟାଧି ପ୍ରବେଶ ନକରିବ ଏବଂ ଗୃହପାଳିତ ପଶୁପକ୍ଷୀଙ୍କ ସୁସ୍ଥ ଜୀବନ କାମନା କରାଯାଇଥାଏ।

ନୂଆସାହି ଗ୍ରାମବାସୀଙ୍କ ଉପସ୍ଥିତିରେ ଗ୍ରାମର ନାଏକେ ନୃସିଂହ ମାରାଣ୍ଡି ପୂଜାପାଠ କାର୍ଯ୍ୟ ସମ୍ପାଦିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଡେତ୍‌-ନାଗା ମାରାଣ୍ଡି,ପାରାନିକ-କରୁଣାକର ମୁର୍ମୁ,ଯୋଗମାଝି-ସୁରେନ୍ଦ୍ର ମୁର୍ମୁ,ଦୁଲା ହେମ୍ବ୍ରମ୍,ଭରତ ମାଝି,ରଘୁନାଥ ମୁର୍ମୁ,ରାମେଶ୍ୱର ମାଝି ପ୍ରମୂଖ ସହଯୋଗ କରିଥିଲେ।
ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook