କଣିହାଁ ବ୍ଲକରେ ତାଳଚେର ବିଧାୟକଙ୍କ ପ୍ରାଧାନ୍ୟ ।

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ସମର୍ଥିତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅନୁଗତ ରାମକୃଷ୍ଣ ପ୍ରଧାନ(ବାବୁ) କଣିହାଁ ବ୍ଲକ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ବ୍ଲକ ଅଧ୍ୟକ୍ଷ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବରେ ସମଲ ଗ୍ରାମପଞ୍ଚାୟତର ନିର୍ବାଚିତ ହୋଇଥିବା ସମିତିସଭ୍ୟ ରାମକୃଷ୍ଣ ପ୍ରଧାନ ଓ ବିଜେପି ସମର୍ଥିତ ପ୍ରାର୍ଥୀ ଭାବରେ କୁଲେଇ ପଂଚାୟତର ସମିତିସଭ୍ୟ ପ୍ରିୟରଞ୍ଜନ ମହାନ୍ତି ନାମାଙ୍କନ ଦାଖଲ କରିଥିଲେ ।

କଣିହାଁ ବ୍ଲକର ସମସ୍ତ ୨୭ ସମିତିସଭ୍ୟ ମାନେ ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ ଦେଇଥିଲେ। ଏଥିରେ ରାମକୃଷ୍ଣଙ୍କୁ ୧୯ ଓ ପ୍ରିୟରଞ୍ଜନଙ୍କୁ ୮ ଖଣ୍ଡ ପାଇଥିଲେ । ନିର୍ବାଚନ ଅଧିକାରୀ ରାମକୃଷ୍ଣଙ୍କୁ ବିଜୟୀ ଘୋଷଣା କରିଥିଲେ । ବିଜୟ ଘୋଷଣା ପରେ ବିଜେଡି ଓ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯାଇଥିଲା। ରାମକୃଷ୍ଣ ପ୍ରଧାନ ତାଳଚେର ବିଧାୟକଙ୍କ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ବିଧାୟକ ନିଜେ ଉପସ୍ଥିତ ରହି ଏହି ବିଜୟ ଉତ୍ସବ ପାଳନ କରିଥିଲେ । ରାମକୃଷ୍ଣ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ସେ ସମସ୍ତ ଗ୍ରାମକୁ ଆଲୋକୀକରଣ କରିବା ସହ ବେକାରୀ ସମସ୍ୟା ଉପରେ ପ୍ରାଥମିକତା ଦେବେ।

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ତାଳଚେର ପର୍ଯ୍ୟବେକ୍ଷକ ରମାକାନ୍ତ ଭୋଇ , ବିଜେଡି ସମର୍ଥିତ ସରପଞ୍ଚ , ସମିତିସଭ୍ୟ ଉପସ୍ଥିତ ରହି ନବନିର୍ବାଚିତ ଅଧ୍ୟକ୍ଷ ରାମକୃଷ୍ଣଙ୍କୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ନେଇ ପ୍ରଜାମଣ୍ଡଳ ଭବନ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ କଣିହାଁ ହାଇ ସ୍କୁଲ ପରିସରରେ ଥିବା ପବିତ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । କଣିହାଁ ବ୍ଲକ ତାଳଚେର ନିର୍ବାଚନ ମଣ୍ଡଳୀର ୮ଟି ପଞ୍ଚାୟତ ଓ ପାଳଲହଡା ନିର୍ବାଚନମଣ୍ଡଳୀର ୧୯ ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ତାଳଚେର ବିଧାୟକଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଗତ ଥର କଣିହାଁ ବ୍ଲକରେ ବିଜେପି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଥିଲେ। ଅନୁଗୋଳ ରୁ ଦିଲୀପ ନାୟକ ଙ୍କ ରିପୋର୍ଟ Aftab news

Share this…
Share on Facebook

Facebook