ଏକଦା ସାମ୍ବାଦିକତା ଥିଲା ଏକ ସଂକଳ୍ପ ଓ ସାଧନା। ଲୋକଙ୍କର ସାମ୍ବାଦିକଙ୍କ ପ୍ରତି ସମ୍ମାନ ଥିଲା ପ୍ରଶ୍ନାତୀତ। ହେଲେ ଆଜି ମିଡ଼ିଆକୁ ଲୋକେ ଘୃଣାଚକ୍ଷୁରେ ଦେଖିବାର କାରଣ କ’ଣ ?ଏଥିପାଇଁ ଦାୟୀ କିଏ ? କଳାଟଙ୍କାରୁ ଗଢା ମିଡିଆ ହାଉସ ସମାଜର ଜାଗ୍ରତ ପ୍ରହରୀ ହୋଇପାରେ କି? କଳାକୁ ଧଳା କରିବା ପାଇଁ ଏ ସବୁ ହେଉଛି। ମିଡ଼ିଆ ଏକ ଇଣ୍ଡଷ୍ଟ୍ରୀରେ ପରିଣତ ହେବା ପରେ ଲାଭ ପାଇଁ ଦୌଡ଼। ଟି.ଆର୍.ପି.ର ଦୌଡ଼। ଛପା ମିଡ଼ିଆର ଆଞ୍ଚଳିକ ସଂସ୍କରଣ ଚାଲୁ ହେବାପରେ ଆଞ୍ଚଳିକ ସ୍ତରରେ ବିଜ୍ଞାପନ ଜବର ଆଦାୟ ହୋଇ ପାରୁଛି। ଏଥିସହ ସେହି ସଂସ୍କରଣର ପରିଚାଳନା ଓ ସଂପାଦନା ଦାୟିତ୍ୱରେ ରହୁଥିବା ବ୍ୟକ୍ତିବିଶେଷ ଦୁର୍ନୀତିଗ୍ରସ୍ତ ଅଧିକାରୀ, କଳାବଜାରୀ, ଇଣ୍ଡଷ୍ଟ୍ରୀ ଇତ୍ୟାଦିଙ୍କୁ ବ୍ଲାକମେଲିଂ କରି ଭଲ ଲାଭବାନ ମଧ୍ୟ ହେଉଛନ୍ତି ଯାହା ମାଲିକମାନେ ମଧ୍ୟ ଭଲଭାବେ ଜାଣନ୍ତି। ଏଇ ଧରଣର ବ୍ୟବସ୍ଥା ଭିତରେ ନିଷ୍ଠା, ଆଦର୍ଶ, ନୀତିନୈତିକତା, ସତ୍ୟ, ତଥ୍ୟ ଆଦି ଆଶା କରିବା ବୃଥା। ମିଡ଼ିଆ ମାଲିକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ସାମିଲ ରହିବା ମଧ୍ୟ ନିରପେକ୍ଷ ସମ୍ବାଦ ପରିବେଷଣରେ ଅନ୍ୟ ଏକ ବାଧା। ମିଡ଼ିଆ ଜଗତର ଅଧୋପତ୍ତନ ଗଣତନ୍ତ୍ରକୁ ବଣତନ୍ତ୍ର ଅର୍ଥାତ୍ ଜଙ୍ଗଲି ଶାସନ ଆଡ଼କୁ ମୁହାଁଇ ଦେଇଛି ଯେଉଁଠି ‘ଯୋର ଯାର ମୁଲକ ତାର’ ନୀତି ଚାଲିଛି। ସେଠି ବେଳେ ବେଳେ ସାମ୍ବାଦିକମାନେ ଏହାର ଶିକାର ମଧ୍ୟ ହେଉଛନ୍ତି୍। ଏହାକୁ ନେଇ ବ୍ୟାପକ ବିଚାର ବିମର୍ଶ କରାଯାଇ ବିକଳ୍ପ ପ୍ରସ୍ତୁତ କରିବାର ସମୟ ଆସିଛି। କିନ୍ତୁ କିଏ ଏ କ୍ଷେତ୍ରରେ ଆଗେଇ ଆସୁଛନ୍ତି ଦେଖିବାକୁ ରହିଲା।