2023-24 ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ 6ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ମୋଟ 27ଟି କାର୍ଯ୍ୟଦିବସ ରହିଛି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ଏବଂ ଲୋକସଭାର ମିଳିତ ବୈଠକକୁ ସମ୍ବୋଧିତ କରିବା ସହ ବଜେଟ ଅଧିବେଶନକୁ ଉଦଘାଟନ କରିବେ।
ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈନିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ଆସନ୍ତାକାଲି ଗୃହରେ 2023-24 ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରାଯିବ। ଏନଡିଏ ସରକାରର ଦ୍ବିତୀୟ ପାଳିରେ ଏହା ହେବ ଶେଷ ବଜେଟ ଉପସ୍ଥାପନ। ଏହି ଅଧିବେଶନରେ ଅର୍ଥବିଲ୍ ସମେତ ମୋଟ 36ଟି ବିଲ ଆଗତ କରାଯିବ ବୋଲି ସୂଚନା ରହିଛି। ଏନଡିଏ ସରକାର ତାଙ୍କ ବଜେଟରେ ମହିଳା, କୃଷକ, ଗରିବ ଏବଂ ମଧ୍ୟବିତ୍ତଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି।
ଚଳିତ ବର୍ଷ ମଧ୍ୟ କେନ୍ଦ୍ର ବଜେଟ ପିପୁଲ୍ସ ଫ୍ରେଣ୍ଡଲି ହେବ ବୋଲି କୁହାଯାଉଛି। ସେପଟେ ବଜେଟ ପୂର୍ବରୁ ବାଚସ୍ପତି ଓମ୍ ବିର୍ଲା ବ୍ୟକ୍ତିଗତ ଭାବେ ସମସ୍ତ ପ୍ରସ୍ତୁତ ର ଅନୁଧ୍ୟାନ କରିଛନ୍ତି । ଦାୟିତ୍ଵ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ଥର ପାଇଁ ଉଭୟ ଗୃହକୁ ସମ୍ବୋଧିତ କରିବେ। ସେପଟେ ଅଧିବେଶନ ପୂର୍ବରୁ ସରିଛି ସର୍ବଦଳୀୟ ବୈଠକ। ଯେଉଁଥିରେ 27ଟି ରାଜନୈତିକ ଦଳର 37 ଜଣ ରାଜନେତା ଯୋଗ ଦେଇଥିଲେ। ଶାନ୍ତିଶୃଙ୍ଖଳାର ସହ ଗୃହ ପରିଚାଳନା ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। ସରକାର ପ୍ରତିଟି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି।