ସଂଘବଦ୍ଧ ଭାବେ ଘରେ ପଶି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ

ସଂଘବଦ୍ଧ ଭାବେ ଘରେ ପଶି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ। ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଡାକ୍ତରୀମାଇନା ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ।
ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ କିଛି ଯୁବକ ସଂଘବଦ୍ଧ ଭାବେ ପୀଡ଼ିତାଙ୍କ ଘରେ ପଶି ତାଙ୍କ କାରକୁ ଭଙ୍ଗାରୁଜା କରିଥିଲେ। କାହିଁକି ଗାଡ଼ି ଭାଙ୍ଗୁଛ ବୋଲି ମହିଳା ଜଣଙ୍କ ଆସି ବିରୋଧ କରିଥିଲେ। ପରେ ଯୁବକମାନେ ମହିଳାଙ୍କୁ ଘର ଭିତରକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କୁ ଦେଢ଼ ଶାଶୂ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ। ଯୁବକମାନେ ତାଙ୍କୁ ଛାଡ଼ି ନଥିଲେ। ତାଙ୍କୁ ମଧ୍ୟ ମାରପିଟ୍‌ କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ସମୟରେ ମହିଳାଙ୍କ ସ୍ୱାମୀ ଘରେ ନଥିଲେ।ପୀଡ଼ିତାଙ୍କ ସ୍ଵାମୀ କହିଛନ୍ତି, ୨ ମାସ ପୂର୍ବେ ଜଣେ ବ୍ୟକ୍ତି ମଦ୍ୟପାନ କରି ମୋ ଘର ପାଖରେ ଖରାପ ଭାଷାରେ ଗାଳିଗୁଲଜ କରୁଥିଲା। ମୁଁ ତାକୁ ପ୍ରତିବାଦ କରିବାରୁ ତାଙ୍କ ସହିତ ମୋର ଝଗଡା ହୋଇଥିଲା। ସେ ମୋତେ ହାଣିବାକୁ ଗୋଡ଼ାଇଥିଲା। ମୁଁ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲି। ଥାନାରେ ଏନେଇ ବୁଝାମଣା ହୋଇଯାଇଥିଲା। ସେହି ରାଗ ସୁଝେଇବାକୁ ଯାଇ ସେହି ବ୍ୟକ୍ତିର ସହଯୋଗୀ ମାନେ ଏପରି କରିଛନ୍ତି। ମୁଁ ନ୍ୟାୟ ଚାହୁଁଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ।

Share this…
Share on Facebook

Facebook