କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବାଣ ଟ୍ରାଜେଡିରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ପିଣ୍ଟୁ ଖାନ୍। ତାଙ୍କୁ ୨୮ବର୍ଷ ହୋଇଥିଲା। ପିଣ୍ଟୁ ବାଣ ବିସ୍ଫୋରଣରେ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପିଣ୍ଟୁଙ୍କୁ ମିଶାଇ କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଆଗରୁ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଥିଲା। ୨୩ ତାରିଖ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ବାଣ ବିସ୍ଫୋରଣ ପରେ ନିଆଁ ଯାଇ ବାଣ ଷ୍ଟକ୍ ଉପରେ ପଡ଼ିଥିଲା। ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରି ଚାରିଆଡ଼କୁ ଛିଟିକିଥିଲା। ଏଥିରେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୪ ଗୁରୁତର ହୋଇଥିଲେ। ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।