ଭଞ୍ଜନଗର, . ଗତ କିଛି ଦିନ ହେଲା ଶିକାରୀ ମାନେ ପୁଣିଥରେ ସକ୍ରିୟ ହୋଇ ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ସ୍ଥାନରୁ ବନ୍ୟ ଜନ୍ତୁ ଶିକାର କରିବା ସହ ତାର ମାଂସ ଓ ଚମଡ଼ା କୁ ବିକ୍ରି କରୁଥିବା ବେଳେ ଗତ ୪୮ଘଣ୍ଟା ମଧ୍ୟରେ ଏକ ହାତୀକୁ ଶିକାର କରି ତାର ଦାନ୍ତ କାଟି ନେଇ ଚାଲିଯାଇଥିବା ଜଣାପଡିଛି।ସୂଚନା ଅନୁସାରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଦର୍ପଙ୍ଗିଆ ଜଙ୍ଗଲ ମଧ୍ୟରେ ଏକ ହାତୀ ମରି ପଡିଥିବା କିଛି ଲୋକ ଗୁରୁବାର ସକାଳେ କଥାବାର୍ତ୍ତା ହେଉଥିଲେ।ଏସମ୍ପର୍କରେ ସୂଚନା ପାଇ ଆମ ପ୍ରତିନିଧିଙ୍କ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ।ହେଲେ ସେମାନଙ୍କ ନିକଟରେ କୌଣସି ସୂଚନା ନଥିବା ଜଣାଇଥିଲେ।ପରେ ଘଟଣାସ୍ଥଳରେ କିଛି ସାମ୍ବାଦିକ ପହଞ୍ଚି ଅନୁସନ୍ଧାନ କରିବାରୁ ସେଠାରୁ ଏକ ଗୁଳି ବିଦ୍ଧ ହାତୀର ଗଳିତ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା।
ହାତୀଟିର ମୃତ୍ୟୁ ପରେ ଶିକାରୀ ମାନେ ତାର ଦାନ୍ତକୁ କାଟି ନେଇ ଚାଲି ଯାଇଥିବା ଜଣାପଡିଛି।ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ବନ କର୍ମଚାରୀ ମାନେ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛନ୍ତି।ଶୁକ୍ରବାର ମୃତ ହାତୀର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।ହେଲେ ହାତୀ ମୃତ୍ୟୁକୁ ଦୀର୍ଘ ୪୮ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ବନ ବିଭାଗ ନିକଟରେ ଖବର ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା।ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବନ ବିଭାଗର ଦାୟିତ୍ବହୀନତା ଲାଗି ସେସବୁ ସମ୍ଭବ ହୋଇପାରୁ ନଥିବା ଜଣାପଡିଛି।