ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା .ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାୟଗଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତ ଯାତ୍ରୀମାନଙ୍କୁ ଗୁଣୁପୁର ଓ ମୁକୁନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ଘର ପାରଳାଖେମୁଣ୍ଡି ବୋଲି ଜଣାଯାଇଛି। ମହିଳା ଜଣଙ୍କ ଶିକ୍ଷୟିତ୍ରୀ ଥିଲେ ବୋଲି ସୂଚନା ମିଳିଛି।
ରାତି ପ୍ରାୟ ୧୨ଟା ସମୟରେ ଯାତ୍ରୀବାହୀ ବସ୍ଟି ଯାତ୍ରୀମାନଙ୍କୁ ନେଇ ପାରଳାଖେମୁଣ୍ଡିରୁ ଉମରକୋଟ ଅଭିମୁଖେ ଆସୁଥିଲା। ଏହି ସମୟରେ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକୁ କଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବସ୍ରେ ମୋଟ ୪୦ଜଣ ଯାତ୍ରୀ ଥିଲେ।