ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ; ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ।

ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲା  ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ। ରଥଯାତ୍ରାରେ ସାମିଲ ହେବାକୁ ଆଜି ବଡ଼ଦାଣ୍ଡ ହୋଇଥିଲା ଜନାରଣ୍ୟ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର। ଭୋର ୩ଟାରୁ ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ଓ ମଧ୍ୟାହ୍ନ ୧୨ଟା ୩୫ରେ ରଥ ଭିଡ଼ା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ସମସ୍ତ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା।

ନିର୍ଦ୍ଧାରିତ ସମୟର ଢେର ଆଗରୁ ରଥ ପ୍ରତିଷ୍ଠା ହୋଇଥିଲା। ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି, ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପରେ ପରେ ମାଆ ସୁଭଦ୍ରା, ଆଉ ଶେଷରେ ହଲିଝୁଲି ଆସିଥିଲେ କାଳିଆ ସାଆନ୍ତ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତାପରେ ଛେରାପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ସୁନା ଝାଡ଼ୁରେ ଛେରାପହଁରା ସହ ବନ୍ଦାପନା କରିଥିଲେ ଗଜପତି।

ଦିନ ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ସେବାୟତ। ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ, ଆଉ ଶେଷରେ ଘର୍ଘରନାଦରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ। ସନ୍ଧ୍ୟା ହେବା ପୂର୍ବରୁ ସବୁ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା।

Share this…
Share on Facebook

Facebook