ଏବେ ରଥଯାତ୍ରା ପାଇଁ ରଥ ସହ ପଥ ବି ପ୍ରସ୍ତୁତ । ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଲୋକାରଣ୍ୟ ହୋଇଉଠିବ ବଡଦାଣ୍ଡ। ଶ୍ରୀମନ୍ଦିରଠୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତ ଗହଳିରେ ପରିପୂର୍ଣ୍ଣ ହେବ ପଥ । ଏହା ପୂର୍ବରୁ ଆଜି ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ହେଲେଣି ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ । କେବଳ ଚତୁର୍ଦ୍ଧାମୂରତିଙ୍କ ବିଜେକୁ ଅପେକ୍ଷା । ରାତିପାହିଲେ ରଥଯାତ୍ରା ଥିବାରୁ ଧୀରେଧୀରେ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର ପୁରୀ ।
୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଆଖି ଆଗରେ ରଖି ଉଭୟ ଜିଲ୍ଲା ଓ ପୁଲିସ ପ୍ରଶାସନ ଫୁଲଦମ୍ରେ ଲାଗିଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ଲାଗି ସମସ୍ତେ ପ୍ରସ୍ତୁତ ରହିଛନ୍ତି । କେମିତି ହେବ ଶୃଙ୍ଖଳିତ ରଥଯାତ୍ରା ଏବଂ ସୁରକ୍ଷା ବ୍ୟବସ୍ଥା, ଏଥିପାଇଁ ପୁଲିସ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା ତଥା ଅଗ୍ନିଶମ ସେବାକୁ ବ୍ୟାପକ କରାଯାଇଛି । ତା’ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦେଖି ଜନସଚେତନତାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଥଣ୍ଡା, ଜ୍ୱର, କାଶ ହୋଇଥିବା ଲୋକଙ୍କୁ ଭିଡ଼କୁ ନ ଆସିବାରୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।