ଆଜି ବାରବାଟୀ ଲଢ଼େଇ….

ପୁଣି ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି।ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ହାରିଥିଲା। ବାରବାଟୀରେ ମ୍ୟାଚ୍ ଜିତି ଦଳ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ତା’ର ବିଜୟ ଅଭିଯାନକୁ ଜାରି ରଖିବାକୁ ପ୍ରୟାସ କରିବ। ତେଣୁ ବାରବାଟୀରେ ଆଜି ଦୁଇ ଦଳ ଭିତରେ ଦମ୍‌ଦାର ଟକ୍କର ହେବ ବୋଲି ଆଶା କରୁଛନ୍ତି କ୍ରିକେଟ୍ ପ୍ରେମୀ। ଗତକାଲି ଦୁଇ ଦଳର ଖେଳାଳି ବାରବାଟୀ ଯାଇ ପଡ଼ିଆରେ ବେଶ୍ କିଛି ସମୟ ଅଭ୍ୟାସ କରିଥିଲେ।

ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନ୍ସପେକ୍ଟର ଓ ୨୭୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରାଙ୍କର ଅଧିକାରୀଙ୍କ ଉପରେ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ରହିଛି। ଏଥିସହ ୧୧୩ ଜଣ ଟ୍ରାଫିକ ପୁଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ଓ ୧୭୦ ଜଣ ହୋମଗାର୍ଡ ମଧ୍ୟ ରହିବେ। ମ୍ୟାଚ୍ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଟକ ଡିସିପି କହିଛନ୍ତି। ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

Share this…
Share on Facebook

Facebook