ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଲୋକସଭା ଭବନର କନଭେସନରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।ମନ୍ତ୍ରିମଣ୍ଡଳରେ ୧୦ରୁ ୧୨ ଜଣ ନୂଆ ମୁହଁ ସାମିଲ ହେବାକୁ ଥିବା ବେଳେ ଅନ୍ୟ ମନ୍ତ୍ରୀ ମାନଙ୍କ ବିଭାଗ ପରିବର୍ତ୍ତନ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ତାରିଖରୁ ବିଦେଶ ଗସ୍ତରେ ଯାଉଥିବାରୁ ତା’ର ଯଥେଷ୍ଟ ପୂର୍ବରୁ ଏହି ମନ୍ତ୍ରିମଣ୍ଡଳ ଗଠନ ହେବାର ସମ୍ଭାବନା ରହିଛି।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମ୍ ଓ ପରେ ଦୁବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦୁବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ’ କାର୍ଯ୍ୟକ୍ରମରେ ନବୀନଙ୍କ ସହ ରାଜ୍ୟର କିଛି ମନ୍ତ୍ରୀ ଓ ଆଇଏଏସ୍ ଅଫିସର ମଧ୍ୟ ଯିବେ ବୋଲି ଜଣାପଡ଼ିଛି । ତା’ଛଡ଼ା ଆସନ୍ତା ଜୁନ ୨୨ତାରିଖରୁ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ଜରୁରୀ ହୋଇପଡ଼ିଛି।ବିଶେଷକରି ପଂଚାୟତ ଓ ପୌର ନିର୍ବାଚନ ସହ ବ୍ରଜରାଜନଗର ଉପନିର୍ବାଚନ ଯୋଗୁ ଏହି ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ଅଟକି ରହିଥିଲା । ଆଜି ସବୁ ମନ୍ତ୍ରୀମାନଙ୍କଠୁ ଇସ୍ତଫା ନେଇଥିବାରୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ସମ୍ଭାବନା ଅଧିକ ରହିଛି ।