ପଦ୍ମପୁର: ରାସ୍ତା ପାର ହେଉଥିବା ବେଳେ ମା’ ଆଗରେ ଝିଅର ଜୀବନ ଚାଲିଯାଇଛି। ପଦ୍ମପୁର ନେହେରୁଗଲି ଛକରେ ଏହି ଘଟଣା ଘଟିଛି। ମୃତକ ଜଣକ ଶ୍ରେୟାନଶୀ ଗଡ଼ଟିଆ ଓ ଆହତ ଜଣକ ତାଙ୍କ ମା’ ପଦ୍ମପୁର ଶାନ୍ତିଙ୍ଗର ସ୍ୱପ୍ନବତୀ ଗଡ଼ଟିଆ। ଦୁହେଁ ମାର୍କେଟକୁ କିଣାକିଣି କରିବା ନିମନ୍ତେ ଆସିଥିଲେ।
ଦୁହେଁ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ ଦୃତଗତିରେ ଆସି ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଦୁହେଁ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଝିଅକୁ ଡାକ୍ତର ମୃତ ଘୋଷିତ କରିଥିଲେ। ମା’ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।