ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି।ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରିଛି, ସେମାନେ ହେଉଛନ୍ତି- ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି।
ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଯିବେ। ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ। ଅନ୍ୟ ତିନି ଜଣ ଯାକ ନୂଆ ମୁହଁ।
ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ ନାଁ ଆଲୋଚନା ହେଉଥିଲା ଏବଂ ସେମାନଙ୍କୁ ଟିକେଟ୍ ମିଳିଛି। ତେବେ ନବୀନ ଯେଉଁ ଗୋଟିଏ ସର୍ପ୍ରାଇଜ୍ କାର୍ଡ ଖେଳିଛନ୍ତି, ସେ ହେଉଛନ୍ତି- ନିରଞ୍ଜନ ବିଶି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ଚେହେରା।
ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଯିବାରୁ ତିନି ଆସନ ଖାଲି ପଡ଼ିଥିବା ବେଳେ ସୁବାସ ସିଂହ ମେୟର ଭାବେ ନିର୍ବାଚିତ ହେବା ପରେ ଇସ୍ତଫା ଦେବାରୁ ଆଉ ଗୋଟିଏ ଆସନ ଖାଲି ପଡ଼ିଛି। ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ମାତ୍ର ୩ ବର୍ଷ ଥିଲା। ତା’ସହିତ ରାଜ୍ୟସଭାରେ ଓ ଦଳ ଭିତରେ ତାଙ୍କ ପ୍ରଦର୍ଶନ ଭଲ ଥିବାରୁ ତାଙ୍କୁ ପୁଣି ଥରେ ଦଳର ସୁପ୍ରିମୋ ରାଜ୍ୟସଭା ପଠାଇବେ ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ସଠିକ୍ ସାବ୍ୟସ୍ତ ହୋଇଛି।