ଭଞ୍ଜନଗର; ଗାଧୋଇବା ପରେ ଛାତକୁ ଲୁଗା ସୁଖାଇବାକୁ ଯାଇଥିଲେ। ହେଲେ ଘର ସାମ୍ନାରେ ଥିବା ବିଦ୍ୟୁତ୍ ଖୁଣ୍ଟ ସହ ଅସାବଧାନତା ବଶତ ସଂଶ୍ପର୍ଶରେ ଆସି ଜଣେ ନାବାଳିକାର ମୃତ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଢୁଢୁଆ ଗ୍ରାମରେ। ମୃତକ ଜଣକ ହେଲେ ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତର ତାମ୍ବିର ଗ୍ରାମର ବାବି ନାଇକଙ୍କ ଝିଅ ରାଣୀ ନାଇକ(୧୫)। ଘଟଣା ଅନୁଯାୟୀ,ରାଣୀ ନିଜ ମାଆ ଝିଲ୍ଲି ସହ ମାମୁଁଙ୍କ ଝିଅ ବିବାହରେ ଯୋଗଦେବା ପାଇଁ ନିଜ ଗ୍ରାମରୁ ଢୁଢୁଆ ଗ୍ରାମକୁ ଆସିଥିଲେ।
ଗତ ୨୭ ତାରିଖ ଦିନ ବିବାହ କାର୍ଯ୍ୟ ସରିବା ପରେ ମାମୁଁ ଘରେ କିଛି ଦିନ ରହି ଆଜି ପରିବାର ସହ ଘରକୁ ଫେରିବା ପାଇଁ ଯୋଜନା କରିଥିଲେ। ଆଜି ସକାଳୁ ଗାଧୋଇ ସାରି ଓଦା ଲୁଗା ସଫା କରିବା ପାଇଁ ଘର ଛାତ ଉପରକୁ ଯାଇଥିଲେ। ଏହି ସମୟରେ ଘର ଛାତରୁ ବାହାରିଥିବା ଏକ ଲୁହା ରଡ ଘର ସାମ୍ନାରେ ଥିବା ବିଦ୍ୟୁତ୍ ଖୁଣ୍ଟ ସଂଶ୍ପର୍ଶରେ ଆସିଥିଲା।
ଅସାବଧାନତା ବଶତ ରାଣୀ ସେଆହି ଲୁହା ରଡକୁ ଧରିନେବା ଫଳରେ ବିଦ୍ୟୁତ୍ ଆଘାତ ଲାଗିଥିଲା। ରାଣୀଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ସେଠାକୁ ଆସି ବାଡି ସାହାର୍ଯ୍ୟରେ ରାଣୀଙ୍କୁ ସେଠାରୁ ଉଦ୍ଧାର କରି ମେଡିକାଲ୍ ଆଣିଥିଲେ। ଡାକ୍ତର ସେଠାରେ ରାଣୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ବୁଗୁଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କେସ୍ ନମ୍ବର ୧୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ବିବାହ ଉତ୍ସବ ପରେ ଘରେ ହସଖୁସିର ମାହୋଲ ରହିଥିବା ବେଳେ ଏଭଳି ଅଘଟଣରେ କଅଁଳ ବୟସରେ ଅକାଳରେ କୋମଳମତି ଝିଅର ଜୀବନ ଚାଲିଯାଇ ଥିବାରୁ ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।