ପିପିଲି.ସ୍ୱର୍ଣ୍ଣ ପଦକ ହାସଲ କଲେ ପିପିଲି ର ସୁନା ଝିଅ ଦିଲ୍ରସ୍ ବାନୋ ବେଗମ । ଡାକ୍ତରୀ ଉଚ୍ଚ ଶିକ୍ଷା ଲାଭ କରି ସେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପିପିଲି ହାଟସାହି ପଂଚାୟତ ଦାନଗୋହିର ଗ୍ରାମର ମହମ୍ମଦ ମଖ୍ତୁମ ଓ ନସିମୁନ୍ ବେଗମଙ୍କ ଝିଅ ଦିଲ୍ରସ୍ ବାନୋ ବେଗମ୍ ଡାକ୍ତରୀ ଉଚ୍ଚଶିକ୍ଷା ରେ ଏହି ଗୋଲ୍ଡ ମେଡାଲ ହାସଲ କରି ପିପିଲି ପାଇଁ ଗୈାରବ ଆଣିଛନ୍ତି । ଉତ୍କଳ ବିଶ୍ୱ ବିଦ୍ୟାଳୟ ସମାବର୍ତନ ଆୟୋଜିତ ଉତ୍ସବରେ ଓଡିଶା ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ୍ ରଂଜନ ସଡଙ୍ଗୀଙ୍କ ସହ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ, କୁଳପତି ସବିତା ଆଚାର୍ଯ୍ୟ ଓ କୁଳ ସଚିବ ଅଭୟ ନାୟକ ପ୍ରମୁଖ ଉପସ୍ଥିତ ରହି ଦିଲ୍ରସ୍ ଡାକ୍ତରୀ ଛାତ୍ରୀ ବାନୋ ବେଗମ୍ ଙ୍କୁ ଏହି ସମ୍ମାନ ଜନକ ପୁରଷ୍କାର ପ୍ରଦାନ କରିଛନ୍ତି । ହାଇଟେକ ମେଡିକାଲ କଲେଜରେ ଦିର୍ଘ ୫ବର୍ଷ ଧରି ଡାକ୍ତରୀ ପଢୁଥିବା ଦିଲ୍ରସ୍ ବାନୋ ବେଗମ ସର୍ବାଧିକ ନମ୍ବର ରଖି ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ତେବେ ସେ ଏହି କୃତିତ୍ୱ ହାସଲ କରି ଅଂଚଳରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ପିପିଲି ହାଟସାହି ହାଇସ୍କୁଲରେ ୧୦ମ ପଢିବା ପରେ ସେ ବିଜେବି କଲେଜରେ ଅଧ୍ୟୟନ ଆରମ୍ଭ କରିଥିଲେ । ପରେ ଲୋକଙ୍କ ସେବା କରିବାର ମନ ବଳାଇ ନିଜର ପ୍ରଗାଢ ବିଶ୍ୱାସ ସହ ଡାକ୍ତରୀ ପାଠ ଅଧ୍ୟୟନ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ସେ ଇଶ୍ୱରଙ୍କ ସହ ବାପା,ମା,ଭାଇ ଓ ହାଇଟେକ ମେଡିକାଲ କଲେଜ କର୍ତୃପକ୍ଷଙ୍କୁ ଶ୍ରେୟ ଦେଇଥିବା ସେ କହିଛନ୍ତି ।