କେନ୍ଦ୍ରାପଡ଼ା; ସିସି ମାମଲାର ରିପୋର୍ଟ ଦେବା ସହ କେଶକୁ ସମ୍ପୂର୍ଣ୍ଣ ମିଥ୍ୟା କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ।ଆଜି ସନ୍ଧ୍ୟାରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଡ଼ିଏସପି ବିଜୟ ଓରାମଙ୍କ ନେତୃତ୍ୱରେ ଏକ 7 ଜଣିଆ ଟିମ କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ ପୃଥ୍ୱୀରାଜ ମିଶ୍ରଙ୍କ ସମେତ ଲାଞ୍ଚ ନେବାରେ ମଧ୍ୟସ୍ଥତା କରୁଥିବା ବ୍ରଜକିଶୋର ବେହେରାକୁ ମଧ୍ୟ ଗିରଫ କରିଛି।ଅଭିଯୋଗ ଅନୁଯାୟୀ,ସଦର ଥାନା କୋରୁଆ ଗାଁର ମିହିର କୁମାର ଲେଙ୍କା ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଗଣ୍ଡଗୋଳ ହୋଇ ଆସୁଥିବା ବେଳେ ଗତବର୍ଷ ଅଗଷ୍ଟ 15 ତାରିଖରେ ମିହୀରଙ୍କ ସାନଭାଇକୁ ପଡୋଶୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ।
ତେବେ ଆକ୍ରମଣକାରୀ ପ୍ରଥମେ ସଦର ଥାନାରେ ଅଭିଯୋଗ କରିଥିବାରୁ ମିହିରଙ୍କ ପରିବାରର ଅଭିଯୋଗକୁ ଗ୍ରହଣ କରିନଥିଲା ସଦର ପୋଲିସ।ପରେ ବିପକ୍ଷ ପକ୍ଷରୁ ପୁନର୍ବାର ଏକ 1ସିସି ମାମଲା ମିହିରଙ୍କ ପରିବାର ଲୋକଙ୍କ ନାମରେ ରୁଜ୍ଜୁ ହୋଇଥିବା ବେଳେ ଏହି ମାମଲାକୁ ମିଥ୍ୟା ଦର୍ଶାଇ ତାଙ୍କ ନାମରେ ଥିବା ମାମଲାକୁ ସମ୍ପୂର୍ଣ୍ଣ ଖାରଜ କରିବା ପାଇଁ ଏଏସଆଇ ପୃଥ୍ୱୀରାଜ ମିଶ୍ର ମିହିରଙ୍କ ଠାରୁ ଲାଞ୍ଚ ଦାବି କରିଥିଲେ।ପ୍ରଥମେ ଜାନୁଆରୀ ମାସରେ 3 ହଜାର ଟଙ୍କା ମାର୍ଚ୍ଚ ମାସରେ ଆଉ 2 ହଜାର ଦେବା ପରେ ପୁନର୍ବାର 7 ହଜାର ଟଙ୍କା ଦାବି କରିଥିଲେ ପୃଥ୍ୱୀରାଜ।ତେବେ ଏହି ଲାଞ୍ଚ ମାଗିବାକୁ ନେଇ ମିହିର କଟକ ଭିଜିଲାନ୍ସ ବିଭାଗ ଦ୍ୱାରସ୍ଥ ହୋଇଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଆଜି ସନ୍ଧ୍ୟାରେ ଟଙ୍କା ଦେବା ପାଇଁ ମଧ୍ୟସ୍ଥି ବ୍ରଜକିଶୋରଙ୍କୁ କହିବା ପରେ ଓ ଟଙ୍କା ନେବା ସମୟରେ ପୁର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗର 7 ଜଣିଆ ଟିମ ଉଭୟ ବ୍ରଜକିଶୋର ଓ ପୃଥ୍ୱୀରାଜଙ୍କୁ ମାଡି ବସିଥିଲା।
ଏଥିସହ ପୃଥ୍ୱୀରାଜଙ୍କ ସରକାରୀ ବାସଭବନ ଓ ପୈତୃକ ଘର ଯାଜପୁରରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।ତେବେ କେବଳ ପୃଥ୍ୱୀରାଜ ନୁହନ୍ତି ପୂର୍ବ ମାମଲା ଗୁଡିକରେ ଜାମିନ ଓ କେଶ ଫଲସ କରିବା ନାମରେ ଆପତତଃ 70 ହଜାର ଟଙ୍କା ଖର୍ଚ୍ଚ କରିଥିବା ଓ ଏହି ଟଙ୍କା ଅନ୍ୟଜଣେ ପୋଲିସ ଅଧିକାରୀ ନେଇଥିବା କହିଛନ୍ତି ଅଭିଯୋଗକାରୀ ମିହିର।