ମୟୁରଭଞ୍ଜ- ସଙ୍କଟରେ ଗଜରାଜ, ଥମୁନି ହାତୀ ମୃତ୍ୟୁ। ପୁଣି ଏକ ଛୁଆହାତୀର ମୃତଦେହ ଠାବ। ମାତ୍ର ବିଭିନ୍ନ ଆଳରେ ଦୋଷ ଖସାଉଛି ବିଭାଗ। କେତେବେଳେ ରୋଗ ତୋ ପୁଣି କେତେବେଳେ ଶିକାରୀଙ୍କୁ ଦାୟୀ କରି ଖସି ଯାଉଛି ବିଭାଗୀୟ ଅଧିକାରୀ। ହାତୀପଲର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବନବିଭାଗ ପଛରେ ସରକାର ଖର୍ଚ୍ଚ କରୁଥିବା ବେଳେ ତାହା ବେକାର ବୋଲି ଖୋଲମଖୋଲା ଆଲୋଚନା ହେଉଛି।ହେଲେ ଜଙ୍ଗଲୀ ହାତୀ ବଦଳରେ ସରକାରୀ ଧଳାହାତୀ ବେଶ ଫାଇଦା ନେଉଛନ୍ତି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେବେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାନମୁଣ୍ଢାବଣି ପଞ୍ଚାୟତ ଅଧିନ ବାଘାଝରଣ ସଂକ୍ଷରିତ ଜଙ୍ଗଲରେ ଠାବ ହୋଇଛି ଛୁଆହାତୀର ମୃତଦେହ କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ହାତୀପଲରେ ଏହି ଛୁଆହାତୀଟି ଥିଲା। ଗତକାଲି ରାତିରେ ଖୁଣ୍ଟାପାଳ ଗାଁ ଦେଇ ହାତୀ ବାଘାଝରଣ ଜଙ୍ଗଲରେ ରହିଥିଲେ।

ବନବିଭାଗର ସୂଚନା ଅନୁଯାୟୀ ହାତୀଛୁଆଟି ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ହାତୀଛୁଆର ବୟସ ଛଅମାସ ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଥିବା ବେଳେ ଅଣ୍ଡିରା ହାତୀଛୁଆ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ହାତୀଛୁଆର ମୃତ୍ୟକୁନେଇ ସଠିକ ତଥ୍ୟ ପଦାକୁ ଆସିବ । ଅପରପକ୍ଷରେ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଥିବା ଗାଁ ହେଉକି ବଜାର ଇଲାକାରେ ହାତୀ ବୁଲି ତାଣ୍ଡବ କରିବା ଏକ ନିତିଦିନିଆ ଘଟଣା ପାଲଟିଛି। ଆଜି ସକାଳୁ ବାରମାଇଲ ମୁଖ୍ୟ ବଜାରକୁ ଦୁଇଟି ହାତୀ ପ୍ରବେଶ ପରେ ଆତଙ୍କ ଖେଳିଯିବା ସହିତ ବଜାରରେ ଥିବା ଲୋକମାନେ ଭୟଭୀତ ହୋଇ ଆତ୍ମରକ୍ଷା ପାଇଁ ଧାଁ ଦଉଡ କରୁଥିବା ଦେଖିବାକୁ ମିଳିଛି। ରାସଗୋବିନ୍ଦପୁର ରେଞ୍ଜ ପକ୍ଷରୁ କୈ।ଣସି ସୂଚନା ନ ଥିବା ବେଳେ ହଠାତ ହାତୀ ଆସିବା ଓ ଛକ ବଜାରରେ ବୁଲିବା କେତେବେଳେ ଯେ କଣ ଧନ ଜୀବନ କ୍ଷୟକ୍ଷତି କରିବ ତାର ଅନୁମାନ କରିବା ସମ୍ଭବ ନୁହେଁ ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ବନବିଭାଗ ପକ୍ଷରୁ ସଠିକ ଖବର ମିଳୁଥିବା ବେଳେ ଏବେ ତାହା ମିଳିପାରୁ ନାହିଁ । ଯାହା ବନବିଭାଗ ର ଅପାରଗତା କୁ ପଦାରେ ପକାଇଛି। ରେଞ୍ଜରଙ୍କ ଦାୟିତ୍ବହୀନତା ତଥା ତଦାରଖ ଅଭାବ ପାଇଁ ଏପରି ସବୁ ଘଟୁଛି ବୋଲି ଅଭିଯୋଗ ହେଉଛି ।ମୟୁରଭଞ୍ଜରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook