ପଟ୍ଟାମୁଣ୍ଡାଇ : ତାତି ଗଲେ ଚାଷୀ। ଆଉ ଅଫିସ୍ରେ ପଶି ତାଙ୍କୁ ନିର୍ଧୁମ ଛେଚିଲେ। ଚାଷୀଙ୍କ ଗୁହାରୀ ଶୁଣିଲେନି ତହସିଲଦାର। ଆଜି ଏପରି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁଇ ଚାଷୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ପଟ୍ଟାମୁଣ୍ଡାଇ କଣିପାଳ ଗାଁର ଚାଷ ଜମି ଓ ଜନବସତି ନିକଟରେ ନାଲି ଇଟାଭାଟି ନିର୍ମାଣ କରାଯାଉଛି। ସେଠାରେ ଇଟା ପୋଡ଼ା ଯାଉଛି। ଯେଉଁଥିପାଇଁ ପରିବା ଚାଷ ନଷ୍ଟ ହୋଇଯାଉଛି। ଇଟା ଭାଟିକୁ ବିରୋଧ କରି ତିନି ଦିନ ତଳେ ଗାଁର କେତେକ ଚାଷୀ ତହସିଲଦାରଙ୍କ ପାଖରେ ଫେରାଦ ହୋଇଥିଲେ। ଇଟା ଭାଟି ବନ୍ଦ କରିବା ପାଇଁ ଗୁହାରୀ କରିଥିଲେ। ତହସିଲ୍ଦାର ଚାଷୀଙ୍କ ଅଭିଯୋଗ ଶୁଣି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ତହସିଲଦାର ଭୁଲି ଯାଇଥିବା ଅଭିଯୋଗ ହୋଇଛି।