ଭୁବନେଶ୍ୱର : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟାକାଣ୍ଡର ଡେମୋ ଦେଖାଇଲା ବେଳେ କାନ୍ଦି ପକାଇଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। କ୍ୟାମେରାମ୍ୟାନ୍ ହତ୍ୟାକାଣ୍ଡର ଗୁମର ଖୋଲିବା ପାଇଁ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ହେଲେ ତଦନ୍ତରେ ସେ ସହଯୋଗ କରୁନଥିବା ଆଲୋଚନା ହେଉଥିଲା।
ତେବେ ଆଜି ରିମାଣ୍ଡର ଚତୁର୍ଥ ଦିନରେ ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ସ୍ଥିତ ଦୟାଲ୍ ଆଶ୍ରମକୁ ନେଇଥିଲା କ୍ରାଇମବ୍ରାଞ୍ଚ। ସେଠାରେ ପହଞ୍ଚିବା ପରେ ଶର୍ମିଷ୍ଠା କାନ୍ଦି ପକାଇଥିଲେ। ଅପହରଣ ପରେ ମାନସଙ୍କୁ କେଉଁଠି ରଖାଯାଇଥିଲା? କେମିତି ହତ୍ୟା କରାଯାଇଥିଲା? ସେନେଇ ଆଙ୍ଗୁଠି ଠାରି ହତ୍ୟାକାଣ୍ଡର ଟିକ୍ନିଖି ସୂଚନା ଦେଇଥିଲେ ଶର୍ମିଷ୍ଠା।
ଦୟାଲ୍ ଆଶ୍ରମରେ ଡେମୋ ଦେଖାଇବା ପରେ ଶର୍ମିଷ୍ଠାଙ୍କୁ ମୃତଦେହ ପୋତା ଯାଇଥିବା ସ୍ଥାନ ନୟାଗଡ଼ ରଣପୁର ବଧିପାଟଣା ନିଆଯାଇଛି। ସେଠାରେ ମଧ୍ୟ ଶର୍ମିଷ୍ଠା ଡେମୋ ଦେଖାଇଥିଲେ। ଏହା ପୂର୍ବରୁ ଆଜି ସକାଳେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କୁ ଧରି ଚାନ୍ଦବାଲିର ପଳାଶପୁରରେ ପହଞ୍ଚି ଥିଲେ। ଯେଉଁଠିକି ମାନସ ବିବାହର ଶୁଟିଂ ପାଇଁ ଯାଇଥିଲେ ଓ ଯେଉଁ ଜାଗାରୁ ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ ଦିନ ବଧିମୁହାଁ ସାହିର ଦୋଳ ମଣ୍ଡପରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ବସିଥିଲେ। ସେଇଠି ବସି ମାନସଙ୍କୁ ଅପହରଣ କରିବା ଲାଗି ଷଡ଼ଯନ୍ତ୍ର କରିଥିଲେ ବୋଲି ଶର୍ମିଷ୍ଠା କହିଥିବା କୁହାଯାଇଛି।