ନଦୀରେ ହାତ ଧରାଧରି ହୋଇ ବୁଡ଼ିଗଲେ; ୨ମୃତ,୪ ନିଖୋଜ

ଯାଜପୁର: ରଙ୍ଗ ଖେଳିବା ପରେ ଗାଧୋଇବାକୁ ଯାଇ ଖରସ୍ରୋତା ନଦୀରେ ହାତ ଧରାଧରି ହୋଇ ବୁଡ଼ିଗଲେ ଦୁଇ ଯୁବକ। ହେଲେ ଆଉ ବାହାରି ପାରିଲେ ନାହିଁ। ଆକାତ କାତ ପାଣି ଭିତରେ ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଲେ। ଏବେ ମଧ୍ୟ ୪ ଯୁବକଙ୍କ ପତ୍ତା ମିଳୁନି। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ୭ ଯୁବକ ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଗାଧଉଥିବା ବେଳେ ଗଣ୍ଡ ଭିତରକୁ ଚାଲି ଯାଇଥିଲେ। ହେଲେ ଆଉ ବାହାରି ପାରିନଥିଲେ। ସେପଟେ ପରିବାର ଲୋକ ଖୋଜି ଖୋଜି ଆସି ନଦୀ କୂଳରେ ପହଞ୍ଚିଥିଲେ। ହେଲେ କାହାରିକୁ ପାଇନଥିଲେ। କିନ୍ତୁ ନଦୀ ପଠାରେ ସେମାନଙ୍କ ଲୁଗା ଓ ଚପଲ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକଙ୍କ ମନରେ ପାପ ଛୁଇଁ ଥିଲା। ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ସାହି ଭାଇଙ୍କୁ କହିଥିଲେ।

ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ଗାଁ ଲୋକେ ୧୭ ବର୍ଷୀୟ ଯୁବକ ଅମିତ ଜେନାକୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟମାନଙ୍କୁ ପାଇନଥିଲେ। ପରେ ଯାଜପୁର ଓ ବିଞ୍ଝାରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନଦୀ ଗର୍ଭରୁ ଟାଉନର ୨୧ ବର୍ଷିୟ ସମ୍ବିତ ଜେନା ଓ ବନ୍ଧମୁଣ୍ଡାର ୧୬ ବର୍ଷିୟ ଶୁଭମ୍‌ ଜେନାଙ୍କ ମୃତଦେହ ଉଦ୍ଧାର କରିଥିଲେ। ହେଲେ ବନ୍ଧମୁଣ୍ଡର ରଶ୍ମିରଂଜନ ଜେନା, କରଣ ଜେନା ଓ କ୍ରିଷ୍ଣା ଜେନା ଏବଂ ଜାଲପୁରର ବିଶ୍ୱଜିତ ଜେନାଙ୍କ ପତ୍ତା ମିଳିନି। ଓଡ୍ରାଫ୍‌ ଟିମ୍‌ ବର୍ତ୍ତମାନ ଖରସ୍ରୋତାର ଗଣ୍ଡ ଭିତରେ ଖୋଜୁଛି। ହେଲେ ସେମାନଙ୍କ ପତ୍ତା ମିଳୁନି।

 

Share this…
Share on Facebook

Facebook