କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ଦମ୍ଭ ଏବେ ଭାଙ୍ଗି ଯାଇଛି। ଯୁଦ୍ଧ ବନ୍ଦ ପାଇଁ ରୁଷ ରଖିଥିବା ବିଭିନ୍ନ ସର୍ତ୍ତ ଉପରେ ରାଷ୍ଟ୍ରପତି ଜେଲେନସ୍କି ବୁଝାମଣା କରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ପୂର୍ବରୁ ସେ କେବେ ହେଲେ ପଛକୁ ହଟିବେ ନାହିଁ ବୋଲି କହୁଥିଲେ। ହେଲେ ଏବେ ସେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି।ନାଟୋରେ ମିଶିବାକୁ ଚାହୁଁଥିବାରୁ ୟୁକ୍ରେନ ଉପରେ ରୁଷ ହମଲା ଆରମ୍ଭ କରିଥିଲା। ରୁଷର ବାରମ୍ବାର ତାଗିଦ ସତ୍ତ୍ୱେ ୟୁକ୍ରେନ କିଛି ବି ନ ଶୁଣି ନାଟୋରେ ମିଶିବାକୁ ଇଚ୍ଛା ରଖିଥିଲା। ଏବେ କିନ୍ତୁ ୟୁକ୍ରେନ ଆଉ ନାଟୋର ସଦସ୍ୟ ହେବାକୁ ଚାହୁଁ ନଥିବା ଜେଲେନସ୍କି କହିଛନ୍ତି।
ଏଥିସହ ରୁଷ ସପକ୍ଷବାଦୀ ଓ ୟୁକ୍ରେନ ବିଚ୍ଛିନ୍ନତାବାଦୀ ଅଞ୍ଚଳ ଲୁହାଂସ୍କ ଓ ଡୋନେସ୍କକୁ ସ୍ୱାଧୀନତା ଦେବା ପ୍ରସଙ୍ଗରେ ମଧ୍ୟ ସେ ରୁଷ ସହ ବୁଝାମଣା କରିବାକୁ ରାଜି ଥିବା କହିଛନ୍ତି। ଏହି ଦୁଇ ଅଞ୍ଚଳକୁ ରୁଷ ଆକ୍ରମଣ କରିବା ପୂର୍ବରୁ ସ୍ୱାଧୀନ ଦେଶର ମାନ୍ୟତା ଦେଇଥିଲା।
ଏବିସି ନ୍ୟୁଜକୁ ସାକ୍ଷାତକାର ଦେଇ ଜେଲେନସ୍କି କହିଛନ୍ତି, “ଦୀର୍ଘ ଦିନ ହେଲା ଆମେ ନାଟୋର ସଦସ୍ୟ ହେବାକୁ ଇଚ୍ଛା ପ୍ରକାଶ କରି ଆସୁଥିଲୁ। କିନ୍ତୁ ଏବେ ଆମେ ଜାଣିବାକୁ ପାଇଲୁ ଯେ ନାଟୋ ୟୁକ୍ରେନକୁ ଗ୍ରହଣ କରିବାକୁ ଚାହୁଁନି। ଏହାକୁ ମଧ୍ୟ ଆମେ ବେଶ ଶାନ୍ତିର ସହ ଗ୍ରହଣ କରି ନେଇଛୁ। ବିବାଦୀୟ ପ୍ରସଙ୍ଗର ମୁକାବିଲା କରିବାକୁ ନାଟୋ ଡରୁଛି। ନାଟୋ ରୁଷ ସହ ମୁହାଁମୁହିଁ ହେବାକୁ ଭୟଭୀତ। ତେଣୁ ନାଟୋରେ ସାମିଲ ହେବାକୁ ଆମର ଆଉ ଇଚ୍ଛାନାହିଁ। ନାଟୋର ସଦସ୍ୟତା ଦାବି କରିବାରୁ ଆମ ଦେଶ ଉପରେ ଆକ୍ରମଣ ହେଲା। କିନ୍ତୁ ଆମକୁ କେହି ବି ସହଯୋଗ କରିବାକୁ ଆସିଲେନି।”
ଆମେ ଏହି ପ୍ରସଙ୍ଗରେ ଆଲୋଚନା ଓ ବୁଝାମଣା କରିବାକୁ ରାଜି। ଏହି ଦୁଇଟି ଅଞ୍ଚଳର ସ୍ଥିତାବସ୍ଥା କ’ଣ ହେବ, ସେ ଉପରେ ଆଲୋଚନା ଆବଶ୍ୟକ। ୟୁକ୍ରେନର ନାଗରିକ ଭାବେ ରହିବାକୁ ଚାହୁଁଥିବା ଉକ୍ତ ଅଞ୍ଚଳର ଲୋକଙ୍କ ଇଚ୍ଛାକୁ ମଧ୍ୟ ସମ୍ମାନ ମିଳିବା ଦରକାର।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କେବଳ ସର୍ତ୍ତ ନ ରଖି ଆଲୋଚନା ପାଇଁ ମଧ୍ୟ ଆଗକୁ ଆସିବା ଦରକାର। ଆମକୁ କେବଳ ସର୍ତ୍ତ ମାନିବାକୁ କହିଲେ ଆମେ ଏଥିପାଇଁ ପ୍ରସ୍ତୁତ ନାହୁଁ ବୋଲି ସେ କହିଛନ୍ତି।