ବାଲେଶ୍ୱର : ଦୀର୍ଘ ଦିନର ଲୁଚକାଳି ପରେ ଜାଲରେ ପଡ଼ିଛି ଚିଟ୍ଫଣ୍ଡ ଠକ। ଓଡ଼ିଶାରେ କୋଟି କୋଟି ଟଙ୍କା ଠକେଇ କରି ପଶ୍ଚିମବଙ୍ଗରେ ଛପି ରହିଥିଲା ଚିଟ୍ଫଣ୍ଡ ଠକ। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାଚିଟ୍ଫଣ୍ଡ କମ୍ପାନୀ ମାସ୍ ଇନଫ୍ରା ରିଆଲିଟି ଲିମିଟେଡ୍ର ନିର୍ଦ୍ଦେଶକ ତପନ କୁମାର ସାମନ୍ତକୁ କୋଲକାତାରୁ ଗିରଫ କରିଛି। ତାଙ୍କ ନାଁରେ ୧୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।
୨୦୧୦ ମସିହାରେ ତପନ କୁମାର ସାମନ୍ତ ଓ ତାଙ୍କର ସାଥୀ ମିଶି ମାସ୍ ଇନଫ୍ରା ରିଆଲିଟି ଲିମିଟେଡ୍ ନାମକ ଚିଟ୍ଫଣ୍ଡ କମ୍ପାନୀ ପ୍ରତିଷ୍ଠା କରିଥିଲେ। ୨୦୧୨ ମସିହାରେ କମ୍ପାନୀ ନାଁ ପରିବର୍ତ୍ତନ କରିଦେଇ ଥିଲେ। ଯାହାର ନାଁ ଥିଲା ୱେଲ୍ଫେୟାର୍ ଆଣ୍ଡ ଥ୍ରୀଫ୍ଟ କୋ-ଅପରେଟିଭ୍ ସୋସାଇଟି। ଆଉ ତା’ପରେ ଜମାକାରୀଙ୍କୁ ବିଭିନ୍ନ ଯୋଜନାରେ ଅଧିକ ଲାଭ ଦେବାର ପ୍ରତିଶ୍ରୁତି ଦେଇ ୧୫ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିଲେ।
ସେ ନରେନ୍ଦ୍ରପୁର ଅଞ୍ଚଳରେ ରହୁଥିଲା। କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସେଠାରେ ଚଢ଼ଉ କରି ତପନ କୁମାର ସାମନ୍ତଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଆଜି ଅପରାହ୍ନରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଇଥିଲା।